କନକବ୍ୟୁରୋ:ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ଯାଏ ବାଲେଶ୍ୱର ସହରରେ କୋହଳ ହେବ କର୍ଫ୍ୟୁ । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଦୁଇ ଦିନ ହେବ ବାଲେଶ୍ୱରରେ କର୍ଫ୍ୟୁ ଜାରି ରହିଛି । ଲୋକମାନେ ଘରେ ରହିଛନ୍ତି ବ୍ୟବସାୟ ବନ୍ଦ ରହିଛି । କିନ୍ତୁ ଅତି ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ପ୍ରଶାସନ ୪ ଘଂଟା ପାଇଁ ନିୟମ କୋହଳ କରିଛି । କଲେଜ, ସ୍କୁଲ ସମେତ ଅଙ୍ଗନବାଡି ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏହି ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କର୍ଫ୍ୟୁ ସମୟରେ ଘରୁ ନବାହାରି ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି ।
ସହରରେ ସମସ୍ତେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବାଲେଶ୍ୱରକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ କରାଯାଇଛି । ବାଲେଶ୍ୱର ସଦର ସୁନହଟ ଅଂଚଳରେ ସମୋବାର ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ବିଳମ୍ବିତ ରାତିରେ ଉତେଜନା ଦେଖାଦେଇଥିଲା । ଦୁଇ ଗୋଷ୍ଠୀ ପରସ୍ପରଙ୍କୁ ଆକ୍ରମଣ କରିଛନ୍ତି । ପରସ୍ପରକୁ ପଥର, କାଚ ବୋତଲ ଫୋପାଡିବାରୁ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇପହିଛନ୍ତି । ବିଶେଷକରି ଗୋଳାପାଖରୀ, ମୋତିଗଞ୍ଜ, ସିନେମାଛକ ଆଦି ଅଂଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ହିଂସାକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ କରିଥିଲେ ।