ପୁରୀରେ ଲାଗିଲା ୪୮ ଘଣ୍ଟିଆ କର୍ଫ୍ୟୁ । ଆସନ୍ତା ୧୩ ତାରିଖ ରାତି ୮ ଯାଏଁ ଭକ୍ତଙ୍କୁ ବଡଦାଣ୍ଡ ମନା ।

94

କନକ ବ୍ୟୁରୋ: ରାତି ପାହିଲେ ରଥଯାତ୍ରା । କୋଭିଡ୍ କଟକଣାକୁ ମାନି ଆସନ୍ତାକାଲି ପୁରୀରେ ପାଳନ ହେବ ବିଶ୍ୱନିୟନ୍ତା ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା । ତେବେ ଏହାପୂର୍ବରୁ ଆଜି ରାତି ୮ଟାରୁ ଆସନ୍ତା ୪୮ ଘଣ୍ଟା ପାଇଁ ପୁରୀରେ କର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତା ୧୩ ତାରିଖ ରାତି ୮ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ । କର୍ଫ୍ୟୁ ଲାଗିବା ହେତୁ ଏବେ ବଡଦାଣ୍ଡରେ ଯାତାୟାତ ଏବଂ ଗମନାଗମନ ଉପରେ କଟକଣା ଜାରି କରାଯାଇଛି ।

ଅନ୍ୟପଟେ ଏବେ ମହାପ୍ରଭୁଙ୍କର ତିନି ରଥ ଶ୍ରୀମନ୍ଦିର ଆଗରେ ମହାପ୍ରଭୁଙ୍କ ଅପେକ୍ଷାରେ ରହିଛନ୍ତି । ପୋଲିସ ପ୍ରଶାସନ ମଧ୍ୟ ସୁରକ୍ଷା ପ୍ରତି ନଜର ରଖିଛନ୍ତି । ରଥଯାତ୍ରାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିବ ପୁରୀ ସହର । ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ସହ ସାଧା ପୋଷାକଧାରୀ ପୁଲିସ୍ ନିୟୋଜିତ ରହିବେ । ସୁରକ୍ଷା ଦୃଷ୍ଟିରୁ ବଡ଼ଦାଣ୍ଡକୁ ୪ଟି ଜୋନ୍ ଏବଂ ସହରକୁ ୧୨ଟି ଜୋନ୍ରେ ବିଭକ୍ତ କରାଯାଇଛି ।