ପୁଣେରେ ଜାରି ହେଲା ନାଇଟ କର୍ଫ୍ୟୁ : ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି

କେବଳ ଅତ୍ୟାବଶ୍ୟକ ସେବା ପଡିବ ବାଦ୍, ଫେବୁଆର ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ; କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପଦକ୍ଷେପ

258

କନକ ବ୍ୟୁରୋ : କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ପୁଣେରେ ଜାରି ହେବ ନାଇଟ କର୍ଫ୍ୟୁ । ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ସେହିପରି ଫେବୁଆର ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ । କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ସେପଟେ ଦେଶର ମୋଟ କରୋନା ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳ ଓ ମହାରାଷ୍ଟ୍ରର ୭୪ ପ୍ରତିଶତ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଛତିଶଗଡ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପଂଜାବ ସହ ଜାମ୍ମୁକାଶ୍ମୀରରେ ମଧ୍ୟ ପଜିଟିଭ ମାମଲା ଅଚାନକ ବଢିବାରେ ଲାଗିଛି । ଏପଟେ ଗତ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୧୪ ହଜାର ୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସାରା ଦେଶରେ କରୋନା ୯୦ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ୧୧ ହଜାର ୬୬୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧ କୋଟି ୯ ଲକ୍ଷ ୯୧ ହଜାର ୬୫୧ ଛୁଇଁଥିବା ବେଳେ ସୁସ୍ଥ ହୋଇଛନ୍ତି ୧ କୋଟି ୬ ଲକ୍ଷ ୮୯ ହଜାର ୭୧୫ ଜଣ । ଏଯାଏଁ କରୋନା ୧ ଲକ୍ଷ ୫୬ ହଜାର ୩୦୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଲାଣି ମହାମାରୀ କରୋନା । ଦେଶରେ ଏବେ ୧ ଲକ୍ଷ ୪୫ ହଜାର ୬୩୪ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।