ମାଟିରେ ତିଆରି ହେଉଛି କପ୍, ଗ୍ଲାସ୍, କଳସୀ ଓ କଣ୍ଢେଇ: ଏହାକୁ ଏକ ଶିଳ୍ପ ଭାବେ ଗ୍ରହଣ କରି ଆତ୍ମନିର୍ଭର ହୋଇଛନ୍ତି କେନ୍ଦ୍ରାପଡ଼ା ମହାକାଳପଡା ଅଂଚଳର ନିରଂଜନ ବେହେରା 

71

କନକ ବ୍ୟୁରୋ: କମିନି ମାଟି ପାତ୍ରର ଚାହିଦା । ମାଟିର ବିକଳ୍ପ ଭାବେ ବଜାରକୁ ପ୍ଲାଷ୍ଟିକ୍, ଫାଇବର, ଷ୍ଟିଲ୍ ଭଳି ଅନେକ ସାମଗ୍ରୀ ଅସିଥିଲେ ବି ଲୋକମାନେ ଏବେ ବି ମାଟିପାତ୍ର ବ୍ୟବହାର କରିବାକୁ ଭଲ ପାଆନ୍ତି ।  ଆଉ ଏହକୁ ଏକ ଶିଳ୍ପ ଭାବେ ଗ୍ରହଣ କରି ଭଲ ରୋଜଗାର କରୁଛନ୍ତି କେନ୍ଦ୍ରାପଡ଼ା ମହାକାଳପଡା ଅଂଚଳର ଯୁବକ ନିରଂଜନ ବେହେରା । ବିଏ ପାସ୍ କରିବା ପରେ ଚାକିରି ପଛରେ ନପଡ଼ି ଆତ୍ମନିର୍ଭର ହେବାର ନିଶା ଏବେ ତାଙ୍କୁ ଦେଇଛି ସଫଳତା । ଏକ ହସ୍ତଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରି ମାଟିରେ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି ବଜାରରେ ବିକ୍ରି କରୁଛନ୍ତି । ମାଟିରେ ସରା, ଦୀପ, ଫୁଲକୁଣ୍ଡ, ଫୁଲଦାନୀ, କଳସୀ, ସୁରେଇ, ମାଟି କଣ୍ଢେଇ, ହାତୀ, ଘୋଡ଼ା ଓ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତି ତିଆରି କରୁଛନ୍ତି । ୫ ଟଙ୍କାରୁ ଆରମ୍ଭ କରି ୫ ହଜାର ପର୍ଯ୍ୟନ୍ତ ରହିଛି ଏହି ସବୁ ଜିନିଷର ଦାମ୍ ।

ନିରଞ୍ଜନ ତାଙ୍କର ଏହି ଉଦ୍ୟୋଗରେ ୫ଜଣ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ଘର ପାଖରେ କାମ ମିଳୁଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ । ଟେରାକୋଟା ସାମଗ୍ରୀ ପ୍ରସ୍ତୁତ ପାଇଁ ପ୍ରଥମେ ସ୍ୱତନ୍ତ୍ର ମାଟିର ଆବଶ୍ୟକତା ପଡ଼ିଥାଏ । ମାଟି ସଂଗ୍ରହ ପରେ ପ୍ରଥମେ ଏହାକୁ ଭଲ ଭାବେ ଚକଟି ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ । ଏହି ୟୁନିଟରୁ ବାହାରୁଥିବା ସାମଗ୍ରୀ କଟକ, ଭୁବନେଶ୍ୱର, ନୁରୀ, ଜଗତସିଂହପୁର ଓ ବଲାଙ୍ଗୀର ଜିଲ୍ଲାକୁ ବିକ୍ରି ପାଇଁ ପଠାଯାଉଛି ।

କୌଣସି କମ୍ପାନୀ କିମ୍ବା ସରକାରୀ ଚାକିରି କରିଥିଲେ ସୀମିତ ରୋଜଗାର ହୋଇଥାଆନ୍ତା । କିନ୍ତୁ ଏଭଳି ଏକ କାମକୁ ଆପଣାଇ ନିରଂଜନ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।