କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ମାର୍ଚ୍ଚ ପହିଲାରୁ ଇନ୍ଦୋରରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟରୁ ବଞ୍ଚିତ ହେବେ। ୪ ମ୍ୟାଚ୍‌ ବି‌ଶିଷ୍ଟ ଏହି ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ପରେ କମିନ୍ସ ପାରିବାରିକ କାର୍ଯ୍ୟ ପାଇଁ ସ୍ବଦେଶ ଫେରିଯାଇଛନ୍ତି। ହେଲେ ତାଙ୍କ ମା’ ଗୁରୁତର ଅସୁସ୍ଥ ଥିବାରୁ କମିନ୍ସ ଅଷ୍ଟ୍ରେଲିଆରେ ଆଉ କିଛି ଦିନ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ତୃତୀୟ ଟେଷ୍ଟ ପୂର୍ବରୁ ସେ ଫେରିବାର ସମ୍ଭାବନା ନଥିବାରୁ ତାଙ୍କ ସ୍ଥାନରେ ଇନ୍ଦୋରରେ ଦଳର ନେତୃତ୍ବ ଭାର ଉପ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ନେବେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ୨୦୨୧ରେ କମିନ୍ସ ଅଧିନାୟକ ଦାୟିତ୍ବ ନେବା ପରେ ସ୍ମିଥ୍‌ ତୃତୀୟ ଥର ଲାଗି ଅଷ୍ଟ୍ରେଲିଆର କାମଚଳା ନେତୃତ୍ବ ନେବେ। ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ମାର୍ଚ୍ଚ ୯ରୁ ଅହମଦାବାଦରେ ଆରମ୍ଭ ହେବ।

Advertisment

ତେବେ ଚତୁର୍ଥ ଟେଷ୍ଟ ପୂର୍ବରୁ କମିନ୍ସ ଦଳ ସହ‌ ଯୋଗ ଦେବେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ଆଶା ବାନ୍ଧିଛି। କମିନ୍ସ ମଧ୍ୟ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଅଧିନାୟକ ରହିଥିଲା ବେଳେ କେବେ ଭାରତ ଫେରିବେ ତାହା ଅସ୍ପଷ୍ଟ ରହିଛି। ‘‘ମା’ ଅସୁସ୍ଥ ଥିବାରୁ ଏହି ସମୟରେ ମୁଁ ଭାରତ ଯାଇପାରିବିନି ନିଷ୍ପତ୍ତି ନେଇଛି। ଏବେ ପରିବାରର ସହ ରହିବା ଠିକ୍‌ ହେବ। କ୍ରିକେଟ୍‌ ଅଷ୍ଟ୍ରେଲିଆ ଓ ‌ସାଥୀ ଖେଳାଳିମାନେ ଏହି ସମୟରେ ମୋତେ ସହଯୋଗ କରିଥିବାରୁ ଧନ୍ୟବାଦ’’ ବୋଲି କମିନ୍ସ କହିଛନ୍ତି। ସୂଚନାଯୋଗ୍ୟ ଯେ ତୃତୀୟ ଟେଷ୍ଟ ହୋଲକର ଷ୍ଟାଡିୟମରେ ମାର୍ଚ୍ଚ ୧ରୁ ଖେଳାଯିବ।

ଅନ୍ୟପଟେ ଆଙ୍ଗୁଠି ଆଘାତ ଜନିତ ସମସ୍ୟା ଲାଗି ପ୍ରଥମ ଦୁଇ ଟେଷ୍ଟ୍‌ ଖେଳିପାରିନଥିବା ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରିନ୍‌ ସୁସ୍ଥ ହୋଇଛନ୍ତି। ତେଣୁ ତୃତୀୟ ଟେଷ୍ଟ୍‌ ଖେଳିବାର ସମ୍ଭାବନା ରହିଛି। ଗ୍ରିନ୍‌ ଫେରିଲେ ଅଷ୍ଟ୍ରେଲିଆର ଦ୍ବିତୀୟ ସିମ୍‌ ବୋଲିଂ ବିକଳ୍ପ ହେବେ ଏବଂ କମିନ୍ସଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ‘ମୁଁ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ଅଛି। ଜଣେ ଅଲ୍‌ରାଉଣ୍ଡର ଦଳରେ ସନ୍ତୁଳନ ଆଣିଥାଏ। ତେଣୁ ମୁଁ ଖେଳିବା ଆଶାରେ ରହିଛି। ଚୂଡ଼ାନ୍ତ ନିଷ୍ପତ୍ତି ‌ଚୟନକର୍ତ୍ତା ନେବେ’’ ବୋଲି ଗ୍ରିନ୍‌ କହିଛନ୍ତି।