ପୋଟଳ ଚାଷ, ଖରା କଲା ସର୍ବନାଶ , ଚାଷୀଙ୍କ ମୁଣ୍ଡରେ ଏବେ ଚଡକ, ପୋଟଳ ତୋଳିବା ଆଗରୁ ପାଚି ଝଡି ଯାଉଛି ।

111

କନକବ୍ୟୁରୋ: ଚାଷ ପାଇଁ ଖୁବ୍ ଚର୍ଚ୍ଚିତ କଟକ ଜିଲ୍ଲାର ବାଙ୍କି ଅଂଚଳ । ଏଠିକାର ଚାଷୀ ଧାନ ସହ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି । ବାଇଗଣ, ଟମୋଟୋ, କାକୁଡି, ଝୁଡଙ୍ଗ, ବିନ୍ସ, କୋବି, ମକା ଓ ପୋଟଳ ଭଳି ବିଭିନ୍ନ ପନିପରିବା ଚାଷ କରି କଟକ-ଭୁବନେଶ୍ୱର ଭଳି ସହରକୁ ରପ୍ତାନୀ କରିଥାନ୍ତି । ବର୍ତମାନ ସମୟରେ ବାଙ୍କୀ ଓ ଡମପଡାରେ ଅଧିକ ପରିମାଣରେ ପୋଟଳ ଚାଷ ହୋଇଛି ।

ହେଲେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପ୍ରାୟ ୯୦ ପ୍ରତିଶତ ପୋଟଳ ପାଚି ଝଡ଼ି ଯାଉଛି । କିଛି କିଛି ଗଛ ମଧ୍ୟ ପ୍ରଚଣ୍ଡ ଖରାରେ ଜଳିଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ବାଙ୍କୀ ଉଦ୍ୟାନ ବିଭାଗର ଅଧିକାରୀ କହିଛନ୍ତି, ପୂର୍ବରୁ ଏଭଳି କେବେ ହୋଇନାହିଁ ।

ଏହାକୁ ରୋକିବା ପାଇଁ ଚାଷ ଜମିରେ ଆବଶ୍ୟକତା ଅନୁସାରେ ପାଣି ମଡ଼ାଇବା ସହ ସକାଳୁ ପୋଟଳ ଗଛରେ ପାଣି ସିଂଚନ କରିବାକୁ ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ବାଙ୍କୀରେ ୪୦୦ ହେକ୍ଟର ଜମିରେ ପୋଟଳ ଚାଷ ହୋଇଛି । ଏହି ଭଳି ଗ୍ରୀଷ୍ମ ପ୍ରବାହ ଆଗକୁ ଜାରି ରାହିଲେ ପୋଟଳ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା କରି ଚିନ୍ତାରେ ପଡିଛନ୍ତି ଚାଷୀ ।