ଉମରକୋଟ୍ ମାଟିରେ ବିଦେଶୀ ବରକୋଳି ଚାଷ। ୩ଏକର ଜମିରେ ଲଗାଇଛନ୍ତି ୧୩୦୦ ଚାରା।

209

କନକ ବ୍ୟୁରୋ: ବରକୋଳି ଚାଷ କରି ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ଉମରକୋଟ ବ୍ଲକ ସ୍ଥିତ ଖାଣ୍ଡା ଗାଁର ମାଖନ ମଣ୍ଡଳ । ପିଲାଟି ଦିନରୁ ଚାଷ ପ୍ରତି ରୁଚି ରହିଥିବା ମାଖନ୍ ପୂର୍ବରୁ ସେ ଆମ୍ବ, ପଣସ ଭଳି ଫଳ ଚାଷ ଓ ବ୍ୟବସାୟ କରୁଥିଲେ । ବର୍ତମାନ ସେ ବରକୋଳି ଚାଷରେ ମନ ବଳାଇଛନ୍ତି । କାଶ୍ମୀର ଲାଲ, ଏବଂ ହଳଦିଆ ରଙ୍ଗର ଅଷ୍ଟ୍ରେଲିୟାନ ବରକୋଳି ଚାଷ କରିଛନ୍ତି ମାଖନ । ୟୁଟ୍ୟୁବରୁ ବରକୋଳି ଚାଷ ବିଷୟରେ ଜାଣିବା ପରେ ସୁଦୂର ପଶ୍ଚିମବଙ୍ଗରୁ ଚାରା ମଗାଇଥିଲେ । ଗୋଟିଏ ଚାରାର ମୂଲ୍ୟ ପ୍ରାୟ ୮୦ ଟଙ୍କାରେ କିଣି ଏହାକୁ ୩ଏକର ଜମିରେ ଲଗାଇଛନ୍ତି । ପାଖାପାଖି ୧୩୦୦ ଚାରା ଲଗାଇଛନ୍ତି ମାଖନ । ଗୋଟିଏ ଥର ଏହି ଗଛ ଲାଗିଲେ ପ୍ରାୟ ୧୦ ବର୍ଷ ଯାଏଁ ଫଳ ଫଳିଥାଏ ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ବରକୋଳି ଫଳିଥିବା ବେଳେ ଗୋଟିଏ ସିଜନରେ ଗୋଟିଏ ଗଛରୁ ୧୦ ରୁ ୩୦ କିଲୋ ପର୍ଯ୍ୟନ୍ତ ବରକୋଳି ତୋଳାହୁଏ । ଗଛ ପୁରୁଣା ହେଲେ ଗୋଟିଏ ଗଛରୁ ୫୦ କିଲୋରୁ ଉର୍ଦ୍ଧ୍ୱ ଫଳ ବାହାରିଥାଏ । ଏହି ବରକୋଳି ପୁରା ମିଠା ଓ ସ୍ୱାଦିଷ୍ଟ ଥିବାରୁ ସ୍ଥାନୀୟ ବଜାରରେ ଏହାର ଅଧିକ ଚାହିଦା ରହିଛି । ପ୍ରତିଦିନ ଏହି ଫାର୍ମରୁ ୧୦୦ କେଜି ବରକୋଳି ବିକ୍ରି ହେଉଛି । ସ୍ଥାନୀୟ ବ୍ୟବସାୟୀ ମାନେ ମାଖନଙ୍କ ଚାଷ ଜମିକୁ ଆସି କିଣି ନେଉଛନ୍ତି । ବାର୍ଷିକ ୩ ରୁ ୪ ଲକ୍ଷ ଟଙ୍କା ଲାଭ ହୋଇପାରିବ ବୋଲି କୁହନ୍ତି ମାଖନ ।

ଏହିି ଚାଷରେ ଅଧିକ ଜୈବିକ ସାର ଓ କମ୍ ରାସାୟନିକ ସାର ବ୍ୟବହାର କରୁଛନ୍ତି ମାଖନ । ଏହି ଚାଷରେ ଭଲ ଲାଭ ଥିବାରୁ ଅନ୍ୟ ଚାଷୀ ମାନେ ମଧ୍ୟ ଏହି ବରକୋଳି ଚାଷ କରନ୍ତୁ ବୋଲି ସେ କହିଛନ୍ତି । ଯଦି ଜିଲା ପ୍ରଶାସନ କିମ୍ବା କୃଷି ବିଭାଗ କିଛି ସରକାରୀ ସହାୟତା ଯୋଗାଇ ଦେବେ ତାହେଲେ ଅଧିକ ଜମିରେ ଚାଷ କରି ଜିଲାର ସମସ୍ତ ଫଳ ଦୋକାନକୁ ବରକୋଳି ଯୋଗାଇ ପାରିବେ ବୋଲି କହିଛନ୍ତି ମାଖନ ।