ସାତସପନ ପାଲଟିଛି ସାକ୍ଷୀଗୋପାଳ ନଡିଆ । ଚାଷୀ ମୁଣ୍ଡରେ ଚଡକ, ପାଣିରେ ଲୋଟିଛି ଧାନ, ବିରି, ମୁଗ, କଦଳୀ ।

197

କନକ ବ୍ୟୁରୋ : ଚାଲିଗଲା ବାତ୍ୟା, ଛାଡିଗଲା ଚିହ୍ନ । ପ୍ରକୃତିର କରାଳ ରୂପ ଦେଖିଲା ଓଡିଶା ।ରାଜ୍ୟବାସୀଙ୍କ ଲାଗି ସାତସପନ ହେବାକୁ ଯାଉଛି ସାକ୍ଷୀଗୋପାଳର ନଡ଼ିଆ । ୧୯୯୯ ମହାବାତ୍ୟାରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ହଜାର ହଜାର ନଡ଼ିଆ ଗଛ ମାଟିରେ ଲୋଟିଥିଲା । ଆଉ ଯାହା କିଛି ବଞ୍ଚି ଯାଇଥିଲା ତାହା ‘ଫନି’ ମାଡ଼ରେ ଧରାଶାୟୀ ହୋଇପଡ଼ିଛି । କେଉଁଠି ନଡ଼ିଆ ଗଛ ମୂଳରୁ ଉପୁଡ଼ି ପଡ଼ିଛି ତ ଆଉ କେଉଁଠି ଅଧାରୁ ଭାଙ୍ଗିପଡ଼ିଛି । ଏହାରି ଭିତରେ ଭୁବନେଶ୍ବର-ପୁରୀ ରାସ୍ତାର ବୀରପୁରୁଷୋତ୍ତମପୁର ନିକଟରେ ଏକ ଭିନ୍ନ ଦୃଶ୍ୟ ବି ଦେଖିବାକୁ ମିଳୁଛି । ନଡ଼ିଆ ଗଛ ଗଣ୍ଡିର କୌଣସି କ୍ଷତି ହୋଇନି । ତେବେ ପ୍ରାୟ ୨୦୦ ନଡ଼ିଆ ଗଛର ଶୀର୍ଷ ଅଂଶ ନାହିଁ । ପତ୍ରଠାରୁ ଆରମ୍ଭ କରି ବାଉଁଙ୍ଗା, ନଡ଼ିଆ, ଗୋଟମା ସବୁ କିଛି ତଳେ ପଡ଼ିଯାଇଛି ।

ପୁରୀ ଜିଲ୍ଲା କଣାସ ଓ ସତ୍ୟବାଦୀ ବ୍ଲକରୁ ଗ୍ରାଉଣ୍ଡ ଜିରୋ ଅନୁଧ୍ୟାନ କରିବା ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ବାତ୍ୟାରେ ସତ୍ୟବାଦୀ ଓ ସାକ୍ଷୀଗୋପାଳରେ କେତେ ନଡ଼ିଆ ଗଛ ଭାଙ୍ଗିଛି ତାହା ଏବେ ସୁଦ୍ଧା ଆକଳନ କରାଯାଇ ନାହିଁ । ନଡ଼ିଆ ପାଇଁ ଖ୍ୟାତି ଅର୍ଜନ କରିଥିବା ଏହି ଦୁଇ ବ୍ଲକର ଲୋକେ ଆଜି ନିଜ ଉଜୁଡ଼ା ସଂସାର ସଜାଡ଼ିବାରେ ଲାଗିପଡ଼ିଛନ୍ତି । ଭଙ୍ଗା ନଡ଼ିଆ ଗଛ କାଟିବା ତ ଦୂରର କଥା, ପଡ଼ିରହିଥିବା ନଡ଼ିଆ ଗୋଟାଇବାକୁ କେହି ଯାଉନାହାନ୍ତି । ସେମିତି ଏଣେତେଣେ ପଡ଼ିରହିଛି ନଡ଼ିଆ, ପଇଡ଼ ।

କେବଳ ନଡ଼ିଆ ନୁହେଁ, ବାତ୍ୟା ଭାଙ୍ଗିଦେଇଛି ଚାଷୀର ମେରୁଦଣ୍ଡ । ବର୍ଷ ଯାକର ପରିଶ୍ରମ ମାଟିରେ ମିଶିଯାଇଛି । ଧାନ, କଦଳୀ, ମୁଗ, ବିରି, ଆଖୁ ସବୁ କିଛି ମାଟିରେ ଲୋଟିପଡ଼ି‌ଛି । ଯାହାକୁ ‌ନେଇ ଚାଷୀ ବର୍ଷ ସାରା ଚଳିବ ବୋଲି ଆଶା ବାନ୍ଧିଥିଲା ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜମିକୁ ଚାହିଁପାରୁନି ଚାଷୀ । ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ବ୍ଲକର ଯୁଆଡ଼େ ଚାହିଁଲେ ପାଣିରେ ଭାସୁଛି ଧାନଗଛ । କେଉଁଠି କଟାଯାଇଥିବା ପାଚିଲା ଧାନ ଜମିରେ ପଡ଼ିରହିଛି ତ ଆଉ କେଉଁଠି ଆଣ୍ଠୁଏ ପାଣିରେ ଛିଡ଼ା‌ ହୋଇଛି । କେତେକ ସ୍ଥାନରେ ଛିଡ଼ା ହୋଇଥିବା ଧାନ ଗଛରେ ଧାନ ନାହିଁ । କଣାସ ବ୍ଲକର ଅଣ୍ଡାରସିଂହପୁରଠାରେ ଯେଉଁ ଚିତ୍ର ଦେଖିବାକୁ ମିଳିଛି ତାହା କେହି ବି ବିଶ୍ବାସ କରିପାରିବେ ନାହିଁ । ଏହି ଗାଁରେ ଲୋକଙ୍କ ଘର ତ ମାଟିରେ ମିଶିଯାଇଛି । ତେବେ ଘରକୁ ଲାଗି ବାଡ଼ିରେ ଜମା ହୋଇଥିବା ଧାନ ବିଡ଼ା ନଷ୍ଟ ହୋଇଯାଇଛି । ଧାନ ଗଦା ଅଣ୍ଟାଏ ପାଣିରେ ବୁଡ଼ି ରହିଛି । ଯାହାକୁ ଅମଳ କରିବା କୌଣସି ପ୍ରକାରେ ସମ୍ଭବ ନୁହେଁ । ସେହିପରି ଏହି ଅଞ୍ଚଳର ବି‌ଜିପୁର, ଜଗନ୍ନାଥପୁର, ନରୁଆପୁର, ଖଣ୍ଡାହାଟ, ନବଡ଼ା, କୋଟକଣା ଆଦି ଗାଁରେ ବି ସମାନ ଚିତ୍ର ଦେଖିବାକୁ ପାଇଥିଲୁ । କେତେକ ସ୍ଥାନରେ ଲୋକେ ଭିଜା ଧାନକୁ ଗାଁ ଦାଣ୍ଡରେ ଶୁଖାଉଥିବା ଦେଖିବାକୁ ମିଳିଥିଲା ।

ଏହି ଅଞ୍ଚଳରେ କଦଳୀ ଚାଷ ବି ଛା‌ରଖାର ହୋଇଛି । ସ୍ଥିତି ପରଖିବା ସମୟରେ ସତ୍ୟବାଦୀ ବ୍ଲକର ବିଭିନ୍ନ ଅଞ୍ଚଳରେ କଦଳୀ ଚାଷର ପ୍ରକୃତ ସ୍ଥିତି ଦେଖିବାକୁ ପାଇଥିଲୁ । ଶହ ଶହ କଦଳୀ କାନ୍ଦି ମାଟିରେ ଲୋଟି ପଡ଼ିଥିବାର ଦୃଶ୍ୟ ବାତ୍ୟାର ପ୍ରକୋପକୁ ବଖାଣୁଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଯେଉଁ ଚାଷୀ କଦଳୀ ଗଛ ଲଗାଇଥିଲା ସେ ଏବେ ମୁଣ୍ଡରେ ହାତ ‌ଦେଇ ବସିଛନ୍ତି । ନା କଦଳୀ କାନ୍ଦି କାଟିପାରୁଛନ୍ତି ନା ବିକ୍ରି କରି ହେଉଛି । ସେମିତି ପାଣିରେ ପଡ଼ିରହିଛି ଲକ୍ଷାଧିକ ଟଙ୍କାର କଦଳୀ । ମୁଗ ଓ ବିରି ଚାଷ କଥା ନ କହିବା ଭଲ । କେଉଁ ଜମିରେ ମୁଗ, ବିରି ଚାଷ ହୋଇଥିଲା ତାହା ଚିହ୍ନିବା ସମ୍ଭବ ହେଉ ନଥିବା ଚାଷୀମାନେ କହିଥିଲେ ।