ବାର୍ଡ ଫ୍ଲୁ ଭୂତାଣୁ ଆତଙ୍କ : ଓୟୁଏଟିରେ ୧୦୦୦ କୁକୁଡାକୁ ମାରିଲା ରାପିଡ ରେସପନ୍ସ ଟିମ୍, ୧୦ କିଲୋମିଟର ପରିଧି ଉପରେ ରହିଛି ସତର୍କ ଦୃଷ୍ଟି । 

116

କନକ ବ୍ୟୁରୋ : ବାର୍ଡ ଫ୍ଲୁ ଭୂତାଣୁର ଆତଙ୍କ ଭିତରେ ଆଜି ଭୁବନେଶ୍ୱର ଓୟୁଏଟି ଭିତରେ ଥିବା ହଜାରେରୁ ଅଧିକ କୁକୁଡାକୁ ମାରିଦିଆଯାଇଛି । କୁକୁଡା ଗୁଡିକୁ ମରାଯାଇ ବଡ ବଡ ଗାତ ଭିତରେ ପୋତିଦିଆଯାଇଛି । ୧୨ଟି ରାପିଡ୍ ରେସପନ୍ସ ଟିମ୍ ମଧ୍ୟରୁ ୭ଟି ଟିମ୍ କୁକୁଡା ମରା ଅଭିଯାନରେ ଲାଗିଛନ୍ତି । ବଳକା ୫ଟି ଟିମ୍ ଓୟୁଏଟିର ୧୦ କିଲୋମିଟର ନୀରିକ୍ଷଣ ଅଂଚଳରେ ଭୂତାଣୁ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜଧାନୀରେ କେବଳ ଓୟୁଏଟିରେ ଥିବା କୁକୁଡା, ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଛନ୍ତି । ଏବଂ ପ୍ରଥମ ଦିନରେ ସମସ୍ତ ସଂକ୍ରମିତ କୁକୁଡାକୁ ମାରି ପୋତି ଦିଆଯାଇଛି ।

ଲଗାତର ଦୁଇ ଦିନ ଧରି ଶହ ଶହ କୁକୁଡା ମରିବା ଏବଂ ବାର୍ଡ ଫ୍ଲୁର ଆତଙ୍କ ଭିତରେ ଭୁବନେଶ୍ୱରର ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଲା କୁକୁଡାମରା ଅଭିଯାନ । ସ୍ୱତନ୍ତ୍ର ପୋଷାକ ସହ ମୁହଁରେ ମାସ୍କ ଲଗାଇ ରାପିଡ୍ ରେସପନ୍ସ ଟିମ୍ ଓୟୁଏଟି ପରିସରରେ ଥିବା କୁକୁଡା ଗବେଷଣା କେନ୍ଦ୍ରରେ ପହଁଚିଥିଲେ । ଓୟୁଏଟି ପରିସରରେ ପ୍ରବେଶ କଟକଣା ଲଗାଇ ସତର୍କତା ସହ ଆରମ୍ଭ ହୋଇଥିଲା କୁକୁଡାମରା ଅଭିଯାନ ।

ସଂକ୍ରମିତ ଅଂଚଳ ଚିହ୍ନଟ କରାଯାଇଥିବା ଓୟୁଏଟି ପରିସରର ୧ କିଲୋମିଟର ଅଂଚଳରେ ଅପରେସନ ପାଇଁ ନିୟୋଜିତ ହୋଇଥିଲେ ୭ଟି ଟିମ୍ । ଓୟୁଏଟି ପରିସରରେ ପ୍ରଥମେ ବଡ ବଡ ଗାତ ଖୋଳାଯାଇଥିଲା । ଏହାପରେ କୁକୁଡା ଗୁଡିକୁ ସେହି ଗଭୀର ଗାତରେ ପୋତାଯାଇଥିଲା । ଓୟୁଏଟିରେ ଦେଢ ହଜାର କୁକୁଡା ରହିଥିବା ବେଳେ ସେଥିମଧ୍ୟରୁ ଅନେକ ବାର୍ଡ ଫ୍ଲୁ ଭୂତାଣୁରେ ମରିଯାଇଥିଲେ । ବଳକା କୁକୁଡା ଗୁଡିକୁ ମାରି ମାଟିରେ ପୋତି ଦିଆଯାଇଛି ।

ଓୟୁଏଟି ପରିସରରୁ ୧୦ କିଲୋମିଟର ଅଂଚଳକୁ ନିରୀକ୍ଷଣ ଅଂଚଳ ଭାବେ ଘୋଷଣା କରାଯାଇଥିବା ବେଳେ ୫ଟି ରାପିଡ୍ ରେସପନ୍ସ ଟିମ୍ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଘରକୁ ଘର ବୁଲି ଯେଉଁମାନେ କୁକୁଡା ରଖିଥିଲେ ସେଗୁଡିକ ମାରିବାର ବ୍ୟବସ୍ଥା କରିଛନ୍ତି । ଏଥିସହ ନିୟମିତ ବ୍ୟବଧାନରେ କୁକୁଡାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ  କରି ପରୀକ୍ଷା ପାଇଁ ପଠାଇଛନ୍ତି । ପ୍ରଥମ ଦିନରେ ଓୟୁଏଟିରେ ଥିବା ହଜାରରୁ ଅଧିକ କୁକୁଡାଙ୍କୁ ମାରି ପୋତିଦିଆଯାଇଛି । ଏବେ ନଜର ରହିଛି ଆଖପାଖରେ ଥିବା ଅଂଚଳ ଉପରେ ।