କନକ ବ୍ୟୁରୋ: ଆଜି ବଲାଙ୍ଗିରକୁ ଫେରିବେ ପ୍ରବାସୀ । ମହାରାଷ୍ଟ୍ରରୁ ପ୍ରାୟ ୧୨ ଶହ ଓଡ଼ିଆ ଫେରୁଥିବା ବେଳେ ସତର୍କ ହୋଇ ଉଠିଛି ପ୍ରଶାସନ । ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ରେ ଜାରି କରାଯାଇଛି ୧୫ ଘଂଟିଆ କର୍ଫ୍ୟୁ । ଏ ନେଇ ସୂଚନା ଦେଇଛନ୍ତି, ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ । ଆଜି ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଲବତର ରହିବ । ଅତ୍ୟାବଶ୍ୟକ ସେବା ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ଛାଡି ଦେଲେ ଅନ୍ୟ ପ୍ରତିଷ୍ଠାନ ବନ୍ଦ ରହିବ । ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଯାଇଛି ।
ପ୍ରବାସୀମାନେ ଫେରିବା ପରେ ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କୁ ରଖାଯିବ । ସବୁକିଛି ଶୃଙ୍ଖଳାର ସହ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପ ଜିଲ୍ଲାପାଳ । ସେପଟେ ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୫ଟି ଟ୍ରେନରେ ପ୍ରାୟ ୬ ହଜାର ପ୍ରବାସୀ ଓଡିଶାରେ ପହଂଚିବେ । ଅହମଦାବାଦରୁ ୨ଟି ଟ୍ରେନ ଛାଡିଥିବା ବେଳେ ଗୋଟିଏ ମୁମ୍ବାଇରୁ ଛାଡିଛି । ଅନ୍ୟଟି ଚେନ୍ନାଇରୁ ବାହାରି ସାରିଥିବା ବେଳେ ଆଉ ଏକ ଟ୍ରେନ ସୁରତରୁ ବାହାରି ସାରିଛି ।