କଟକ ବଡ ମେଡିକାଲର ବିଚିତ୍ର ସ୍ଥିତି । ଅଲଟ୍ରାସାଉଣ୍ଡ ପାଇଁ ମିଳୁଛି ମାସେ ସମୟ । ଆଠ ଦିନ ହେଲା ସିଟିସ୍କାନ ମେସିନ ଅଚଳ

156

କନକ ବ୍ୟୁରୋ: କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା କରିଛନ୍ତି । ହେଲେ ବଡ଼ ମେଡିକାଲରେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ଆଠ ଦିନ ହେଲା ସିଟି ସ୍କାନ୍ ମେସିନ ଅଚଳ ପଡ଼ିଛି, ଫଳରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ରୋଗୀ । ଅଲଟ୍ରାସାଉଣ୍ଡ ପାଇଁ ମାସେ ଅପେକ୍ଷା କରିବାକୁ ପଡୁଥିବା ରୋଗୀ ଅଭିଯୋଗ କରିଛନ୍ତି ।

ଫେବୃୟାରୀ ୧୬ରେ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଅଲଟ୍ରାସାଉଣ୍ଡ ପାଇଁ ମାର୍ଚ୍ଚ ୧୬ ତାରିଖରେ ଆସିବାକୁ କୁହାଯାଉଛି । ଏସସିବିକୁ ଚିକିତ୍ସା ପାଇଁ ଆସିଥିବା ଯାଜପୁରର ବିପିନ ଧଳଙ୍କୁ ଡାକ୍ତର ଦେଖିବା ପରେ ରକ୍ତ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ କରିବାକୁ କହିଥିଲେ । ରକ୍ତ ପରୀକ୍ଷା ପରେ ଅଲଟ୍ରାସାଉଣ୍ଡ ବିଭାଗକୁ ଯାଇଥିଲେ ବିପିନ । କିନ୍ତୁ ସେଠାରେ ତାଙ୍କୁ ମାସେ ପରେ ଆସିବାକୁ କୁହାଯାଇଥିଲା । ଏନେଇ ଗଣମାଧ୍ୟମ ପ୍ରତିନିଧି ମେଡିକାଲ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ବିପିନ ଧଳଙ୍କୁ ଡାକି ସଂପୃକ୍ତ କର୍ମଚାରୀ ପୁରୁଣା ଟିକଟ ନେଇଯାଇ, ଫେବୃୟାରୀ ୧୭ରେ ଅଲଟ୍ରାସାଉଣ୍ଡ ପାଇଁ ଆସିବାକୁ କହି ନୂଆ ଟିକଟ ଦେଇଥିଲେ ।

ସେପଟେ ଏସସିବିରେ ଆଡମିଶନ ହୋଇ ଚିକିତ୍ସିତ ହେଉଥିବା ଝାଡଖଣ୍ଡର ଜଣେ ରୋଗୀଙ୍କୁ ସିଟି ସ୍କାନ ପାଇଁ ତିନି ଦିନ ସମୟ ଦିଆଯାଇଥିବା ଜଣାପଡିଛି । ସେହିପରି ଜଗତସିଂହପୁରର ଜଣେ ରୋଗୀ ଫେବୃୟାରୀ ୧୬ରେ ଅଲଟ୍ରାସାଉଣ୍ଡ ପାଇଁ ଆସିଥିଲା ବେଳେ ୧୬ ଦିନ ପରେ ତାଙ୍କ ପରୀକ୍ଷା ହୋଇଥିବା ଅଭିଯୋଗ ଆସିଛି । ମେଡିକାଲର ରେଡିଓଲୋଜି ଓ ଆଞ୍ଚଳିକ ନିଦାନ କେନ୍ଦ୍ରରେ ଥିବା ଦୁଇଟି ସିଟିସ୍କାନ ମେସିନ ଖରାପ ହୋଇଯାଇଛି । ତେଣୁ ଶହ ଶହ ରୋଗୀଙ୍କ ସିଟି ସ୍କାନ ହୋଇନଥିବାରୁ ଚିକିତ୍ସା କରାଯାଇ ପାରୁ ନାହିଁ ।

ଏସସିବି ମେଡିକାଲ ବିଶ୍ୱସ୍ତରୀୟ ହେବାକୁ ଯାଉଥିଲା ବେଳେ ଅଲଟ୍ରାସାଉଣ୍ଡ, ସିଟି ସ୍କାନ କରିବା ପାଇଁ ରୋଗୀଙ୍କୁ ମାସେ କାଳ ଅପେକ୍ଷା କରିବା ଘଟଣା ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।