ଗାଁର ବିକାଶ ନୁହେଁ ସରକାରୀ ବାବୁଙ୍କ ବାସଭବନ ମରାମତି ପାଇଁ ଲାଗିଲା କମ୍ପାନି ଟଙ୍କା ! ସିଏସଆର ପାଣ୍ଠିରୁ ଖର୍ଚ୍ଚ ହେଲା ଲକ୍ଷ ଲକ୍ଷ ଟଙ୍କା, ସାଧାରଣରେ ଉଠିଲା ପ୍ରଶ୍ନ ।

182

କନକ ବ୍ୟୁରୋ : ସରକାରୀ ବାବୁଙ୍କ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ସିଏସଆର ପାଣ୍ଠି । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ମରାମତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଖଣି କଂପାନୀର ଅର୍ଥ ବ୍ୟବହାର ହୋଇଥିବା ଅଭିଯୋଗ ଆସିଛି । ରୁଙ୍ଗଟା କଂପାନୀ ତାର ସିଏସଆର ପାଣ୍ଠିରୁ ପ୍ରାୟ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ବଙ୍ଗଲୋରେ ପରିଣତ କରିଦେଇଥିବା ଅଭିଯୋଗ ଆସିଛି । ପ୍ରଶ୍ନ ଉଠୁଛି, ବାବୁଙ୍କ ବାସଭବନ ନବୀକରଣ କରିବାରେ ଏହା ସିଏସଆର ପାଣ୍ଠିର ଅପବ୍ୟୟ ନୁହେଁ କି?

ବାବୁଙ୍କ ସରକାରୀ ବାସଭବନ ପାଇଁ କିଭଳି ସରକାରୀ ତହବିଲରୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ ହେଉଛି ତାହା ଉପରୁ ପୂର୍ବରୁ ପରଦା ଉଠାଇଥିଲା କନକ ନ୍ୟୁଜ୍ । ଆଉ ଏବେ ସରକାରୀ ବାବୁଙ୍କ ବାସଭବନ ମରାମତି ପାଇଁ କିଭଳି ସିଏସଆର ପାଣ୍ଠି ଖର୍ଚ୍ଚ ହୋଇଛି ତାହା ଏବେ ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ପୁରୁଣା ଚିତ୍ର, ଯାହା ମାସ କେଇଟା ମଧ୍ୟରେ ବଦଳି ଯାଇଥିଲା । ଆଉ ଏଥିରେ ଖଣି କଂପାନୀର ଅର୍ଥ ବ୍ୟବହାର ହୋଇଥିବା ଅଭିଯୋଗ ଆସିଛି । କୁହାଯାଉଛି, ଏହି ରୂପ ବଦଳାଇବାର କାର୍ଯ୍ୟ ନେଇଥିଲା ରୁଙ୍ଗଟା । କଂପାନୀ ତାର ସିଏସଆର ପାଣ୍ଠିରୁ ପ୍ରାୟ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସୁରମ୍ୟ ବଙ୍ଗଲୋରେ ପରିଣତ କରିଦେଇଥିବା ଅଭିଯୋଗ ଆସିଛି ।

ଏବେ ପ୍ରଶ୍ନ ଉଠୁଛି, ଏହା ସିଏସଆର ପାଣ୍ଠିର ଅପବ୍ୟୟ ନୁହେଁ କି? ସରକାରୀ ବାବୁଙ୍କ ଆବାସିକ କାର୍ଯ୍ୟାଳୟକୁ ସିଏସଆର ପାଣ୍ଠିରୁ ନବୀକରଣ କରାଯାଇପାରିବ କି? ସିଏସଆର ଗାଇଡ୍ ଲାଇନ୍ ଅନୁଯାୟୀ ଗ୍ରାମ୍ୟ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଓ ସ୍ୱଚ୍ଛ ଭାରତ ଭଳି କ୍ଷେତ୍ରରେ ସିଏସଆର ପାଣ୍ଠିରୁ ବ୍ୟୟ ହୋଇପାରିବ । ହେଲେ ସରକାରୀ ବାବୁଙ୍କ ବାସଭବନ ପାଇଁ ଅର୍ଥ ବ୍ୟବହାର ହେବା ପରେ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ ।

ରୁଙ୍ଗଟା ମାଇନସ ଦ୍ୱାରା ପ୍ରଦତ ସିଏସଆରର ହିସାବ ଅନୁଯାୟୀ,
– ୨୦୧୦-୧୧ରେ ବଡ଼ବିଲରେ ଏସଡିପିଓଙ୍କ ବାସଭବନ ମରାମତି ପାଇଁ ରୁଙ୍ଗଟା ଖର୍ଚ୍ଚ କରିଛି ୪୩ ଲକ୍ଷ ୭୪ ହଜାର ୫୫୫ ଟଙ୍କା
– ୨୦୧୨-୧୩ରେ ଚମ୍ପୁଆର ଡେପୁଟି କଲେକ୍ସରଙ୍କ ବଙ୍ଗଳା ନବୀକରଣ ପାଇଁ ଖର୍ଚ୍ଚ ୫ ଲକ୍ଷ
ଏହି ତାଲିକା ଖୁବ ଲମ୍ବା । ଯେତେବେଳେ କଂପାନୀ ଗୁଡିକ ସାମାଜିକ ଦାୟିତ୍ୱକୁ ଭୂଲି ସରକାରୀ ବାବୁଙ୍କ ତୁଷ୍ଟୀକରଣ କରିବାରେ ବ୍ୟସ୍ତ ରହୁଛନ୍ତି । ଏହାପଛରେ ଉଦ୍ଦେଶ୍ୟ କଣ ରହିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିଏସଆର ଅର୍ଥାତ୍ କର୍ପୋରେଟ ରେସପନସିବିଲିଟି, ହେଲେ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏହା କର୍ପୋରେଟ ସରକାରୀ ରେସପନସିବିଲିଟିରେ ପରିଣତ ହୋଇଯାଉଛି । ଆଉ ବଡ ପ୍ରଶ୍ନ ଉଠୁଛି, କାହିଁକି ସରକାରୀ ବାବୁଙ୍କ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କଂପାନୀ ମାନେ । ଏହାରି ବଦଳରେ କେଉଁ ଲାଭ ସେମାନେ ପାଉଛନ୍ତି?