ବାଙ୍ଗାଲୋର ବିଜୟ ଧାରାରେ ବ୍ରେକ୍ ଦେଲା ଚେନ୍ନାଇ । ୬୯ ରନରେ ମ୍ୟାଚ୍ ଜିତିଲା ଧୋନୀବାହିନୀ । ପଏଣ୍ଟ ଟେବୁଲ ଶୀର୍ଷରେ ସିଏସକେ ।

180

କନକ ବ୍ୟୁରୋ: ଆଜି ଆଇପିଏଲରେ ବାଙ୍ଗାଲୋରକୁ ହରାଇ ଚମକପ୍ରଦ ବିଜୟ ହାସଲ କରିଛି ଚେନ୍ନାଇ । ଧୋନୀବାହିନୀ ବାଙ୍ଗାଲୋରକୁ ୧୨୨ ରନରେ ଅଟକାଇବା ସହିତ ୬୯ ରନରେ ମ୍ୟାଚକୁ ଜିିତି ନେଇଛି । ଏଥିସହ ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ମଧ୍ୟ ଫେରିଛି ।

ଆଜି ଟସ୍ ଜିତି ଚେନ୍ନାଇ ଅଧିନାୟକ ଧୋନୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ସଠିକ୍ ସାବ୍ୟସ୍ତ କରିଥିଲେ ଦଳର ବ୍ୟାଟ୍ସମ୍ୟାନମାନେ । ଦୁଇ ଓପନର ଗାଏକ୍ୱାଡ୍ ଓ ଡୁ ପ୍ଲେସିସ୍ ୭୪ ରନର ପାର୍ଟନରସିପ ଗଢିଥିଲେ । ଏହାପରେ ସୁରେଶ ରାଇନା ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଧୂଆଁଧାର ଇଂନିସ ଖେଳିଥିଲେ । ଯାହା ଫଳରେ ଦଳର ସ୍କୋର ୨୦ ଓଭରରେ ୧୯୧ରେ ପହଞ୍ଚିଥିଲା । ଆରସିବି ପକ୍ଷରୁ ହର୍ଷଲ ପଟେଲ ୩ଟି ସଫଳତା ପାଇଥିବାବେଳେ ଚହଲ ଗୋଟିଏ ମାତ୍ର ସଫଳତା ପାଇଥିଲେ । ଆରସିବିର ଅନ୍ୟ କୌଣସି ବୋଲର ସଫଳ ସାବ୍ୟସ୍ତ ହୋଇନଥଲେ ।

ଏହାପରେ ୧୯୨ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ବାଙ୍ଗାଲୋର କିନ୍ତୁ ଭଲ ଆରମ୍ଭ ପରେ ବ୍ୟାଟିଂ ବିପଯ୍ୟୟର ସାମ୍ନା କରିଥିଲା । ଦଳର ୮ ଜଣ ବ୍ୟାଟ୍ସମ୍ୟାନ୍ ଶହେ ରନ୍ ଭିତରେ ହିଁ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଦଳ ମାତ୍ର ୧୨୨ ରନ କରିପାରିଥିଲା । ଚେନ୍ନାଇ ପକ୍ଷରୁ ସଫଳ ବୋଲର ଭାବେ ଜାଡେଜା ୩ଟି, ତାହିର ୨ଟି ସଫଳତା ପାଇଥିଲେ ।