କନକ ବ୍ୟୁରୋ : ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ମହାକୁମ୍ଭ । ଓଡ଼ିଶା ମାଟିରେ ହେବ ଟାଇଟଲ ଟକ୍କର । ମୁହାଁମୁହିଁ ହେବେ ବିଶ୍ୱର ବଛା ବଛା ଟିମ୍ । ଆଉ ଏହି ମହାକୁମ୍ଭକୁ ଆୟୋଜନ ପାଇଁ ଏବେ ପୂରା ପ୍ରସ୍ତୁତ ଓଡ଼ିଶା । ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଯେଉଁ ବିଭାଗକୁ ଯେଉଁ କାର୍ଯ୍ୟ ଦିଆଯାଇଥିଲା ସେସବୁ କାର୍ଯ୍ୟ ଜୋରଦାରରେ ଆଗେଇ ଚାଲିଛି । ବିଶ୍ୱକପ ଆରମ୍ଭର ବହୁ ପୂର୍ବରୁ ଏହି କାମ ଶେଷ ହେବ ।

Advertisment

୧୩ ଜାନୁଆରୀରେ ରାଉରକେଲାରେ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିପରି କଟକର ବାରବାଟୀ ଷ୍ଟାଡିୟମରେ ଜାନୁଆରୀ ୧୧ ତାରିଖରେ ହକି ବିଶ୍ୱକପ ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥିର ହୋଇଛି । ଯେଉଁଠି ୪୦ ହଜାର ଦର୍ଶକ ଓ ଅତିଥି ଯୋଗ ଦେବେ । ଏହାସହ ରାଜ୍ୟର ସମସ୍ତ ପଞ୍ଚାୟତରେ ହକି ସହ ଅନ୍ୟ ଖେଳ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହ କ୍ରୀଡାର ମାହୋଲ ସୃଷ୍ଟି କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିଶ୍ୱକପ୍ ଟ୍ରଫିକୁ ବିଭିନ୍ନ ଜିଲ୍ଲାକୁ ପ୍ରଦର୍ଶନ ପାଇଁ ପଠାଯିବ ।

ସେହିଭଳି ବିଶ୍ୱକପ୍ ପୂର୍ବରୁ ଏୟାରଷ୍ଟ୍ରିପ କାମ ଶେଷ ହୋଇଛି । ଏବେ ତାହାର ଅନୁଧ୍ୟାନ ଚାଲିଛି । ଅନୁଧ୍ୟାନ ଶେଷ ହେବା ପରେ ଲାଇସେନ୍ସ ମିଳିବ । ଆଉ ଏହାପରେ ବିମାନ ସେବା ଆରମ୍ଭ ହେବ । ସମସ୍ତ ହକି ଖେଳାଳୀଙ୍କୁ ଚାଟାର୍ଡ ଫ୍ଲାଇଟରେ ଭୁବନେଶ୍ୱର ଏବଂ ରାଉରକେଲାକୁ ନେବା ଆଣିବା କରାଯିବ । ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ଚଳିତ ହକି ବିଶ୍ୱକପ୍ ବେଶ ଧୂମଧାମରେ ପାଳିତ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।