କନକ ବ୍ୟୁରୋ : ଡେଙ୍ଗୁ ବଢାଉଛି ଡର । ଆତଙ୍କ ବଢାଉଛି ଏଡିସ ମଶା । ସୁନ୍ଦରଗଡ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୬୪ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କେବଳ ରାଉରକେଲା ସହରରୁ ରହିଛନ୍ତି ୫୭ ଜଣ । ସେହିଭଳି ବୀରମିତ୍ରପୁରରୁ ୨ ଜଣ ଓ ଜିଲ୍ଲାର ବିଭି‌ନ୍ନ ପ୍ରାନ୍ତରୁ ବଳକା ଆକ୍ରାନ୍ତ ରହିଛନ୍ତି । ସେହିଭଳି ରାଉରକେଲା ସହରରୁ ୫୭ ପଜିଟିଭ୍ ବାହାରିବା ଚିନ୍ତାର କାରଣ ପାଲଟିଛି । ରାଉରକେଲା ସହରର ୧୪ନଂ ସେକ୍ଟର ଅଚଂଳରୁ ହିଁ ବହୁ ରୋଗୀ ବାହାରୁଥିବାରୁ ଏହି ଅଚଂଳକୁ ହଟସ୍ପଟ ଅଞ୍ଚଳ ଘୋଷଣା କରାଯାଇ ଏଠାରେ ସଫାସୁତୁରା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ରାଉରକେଲା ମୁଖ୍ୟ ଚିକିତ୍ସାଳୟରେ ୭ରୁ ଉର୍ଦ୍ଧ ରୋଗୀ ବର୍ତମାନ ଚିକିତ୍ସିତ ଅବସ୍ଥାରେ ହେଉଛନ୍ତି । ପୂରା ଘଟଣା ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନଜର ରଖିବା ସହିତ , ସମସ୍ତ ଔଷଧ ମେଡିକାଲରେ ମହଜୁଦ ରଖାଯାଇଛି ଏବଂ ଟେଷ୍ଟିଂକୁ ବୃଦ୍ଧି କରାଯାଇଥିବା କହିଛନ୍ତି ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ।

Advertisment

ଅନ୍ୟପଟେ ବର୍ଷାଦିନେ ଡେଙ୍ଗୁ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କଟକ ମହାନଗର ନିଗମ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଡେଙ୍ଗୁ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ସିଏମସି ପକ୍ଷରୁ ଏକ ସଚେତନତା ଗାଡି ବାହାର କରାଯାଇଛି। କୌଣସି ସ୍ଥାନରେ ପାଣି ଜମିବାକୁ ନଦେବା ସହ ଶୋଇବା ସମୟରେ ମଶାରୀ ବ୍ୟବହାର କରିବାକୁ ଲୋକଙ୍କୁ ଏହା ଦ୍ବାରା ପରାମର୍ଶ ଦିଆଯାଉଛି। ଏହା ପରେ ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ସିଏମସି କମିଶନର ଏବଂ ସ୍ବାସ୍ଥ୍ୟ ଅଧିକାରୀ ଯୋଗ ଦେଇ ଡେଙ୍ଗୁ ମୁକାବିଲା ନେଇ ଆଲୋଚନା କରିଥିଲେ। କଟକରେ ଏପର୍ୟ୍ୟନ୍ତ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିଲେ ମଧ୍ୟ ସହରରେ ମଶା ନିୟନ୍ତ୍ରଣ ଏବଂ ଅଳିଆ ଆବର୍ଜନା ସଫେଇ ଉପରେ ଗୁରୁତ୍ବ ଦିଆଯାଇଥିଲା। ବିଶେଷକରି ମଶା ନିୟନ୍ତ୍ରଣ ପାଇଁ ମଶା ତେଲ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ଆବଶ୍ୟକ ପଡିଲେ ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ସ୍ବାସ୍ଥ୍ୟ ସର୍ଭେଲାନ୍ସ ଆରମ୍ଭ କରିବାକୁ ବୈଠକରେ ଆଲୋଚନା ହୋଇଛି। ଅନ୍ୟପଟେ ଏସସିବି ବଡ ମେଡିକାଲରେ ଡେଙ୍ଗୁ ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଓ୍ବାର୍ଡ ଖୋଲାଯିବା ସହ ୨୦ଟି ବେଡ୍ ପ୍ରସ୍ତୁତ ରଖାଯାଇଛି। ଏହା ସହ ଡାକ୍ତର ଏବଂ ଷ୍ଟାଫ୍ ପ୍ରସ୍ତୁତ ଥିବା ଏସସିବି ସୁପରିଟେଣ୍ଡେଣ୍ଟ କହିଛନ୍ତି।

ଏସବୁ ଭିତରେ ରାଜ୍ୟରେ ଡେଙ୍ଗୁ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟର ବିଭିନ୍ନ ଜିଲ୍ଲା, ମହାନଗର ନିଗମ ଏବଂ ଗ୍ରାମାଂଚଳରେ ଡେଙ୍ଗୁ ରୋଗର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଛି । ଏହି ରୋଗକୁ ରୋକିବା ପାଇଁ କି କି ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଛି । ଡେଙ୍ଗୁ ମୁକାବିଲା ପାଇଁ ରାଜ୍ୟସ୍ତରୀୟ ଆକ୍ସନ ପ୍ଲାନ୍ ଓ ଏସଓପି ରହିଛି । ଆକ୍ସନ ପ୍ଲାନ୍ ଅନୁସାରେ କାର୍ଯ୍ୟ କରିବା ସହ ଏସଓପି ଅନୁପାଳନକୁ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଜ୍ୟରେ ଡେଙ୍ଗୁ ସ୍ଥିତି ଉପରେ ରିପୋର୍ଟ ଦିଆଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ୧୨୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏଥିମଧ୍ୟରୁ ଭୁବନେଶ୍ୱରରୁ ୭୪ ଜଣ ଆକ୍ରାନ୍ତ ରହିଛନ୍ତି। ଜୁନ ମାସରୁ ଏବେ ସୁଦ୍ଧା ୨୬ଟି ଜିଲ୍ଲାରୁ ୪୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।