ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ୨ ଓଡିଆଙ୍କୁ ଜାମିନ, ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଶୁଣାଣି

112

କନକ ବ୍ୟୁରୋ : ଗୋଟେପଟେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ବେଲ ଆବେଦନର ଶୁଣାଣିକୁ କାଲି ପର୍ଯ୍ୟନ୍ତ କୋର୍ଟ ଘୁଞ୍ଚାଇ ଦେଇଥିବା ବେଳେ ଏହି ମାମଲାରେ ସଂପୃକ୍ତ ଥିବା ଓଡିଶାର ମନୀଷ ରାଜଗରିଆ ଓ ଅଭିନ୍ନ ସାହୁଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ମନୀଷଙ୍କ ଘର ଓଡିଶାର ରାଉରକେଲାରେ ହୋଇଥିବା ବେଳେ ଅଭିନ୍ନଙ୍କ ଘର ରଘୁନାଥପଲୀରେ ବୋଲି କୁହାଯାଇଛି ।

କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବିର ଚଢାଉ ବେଳେ ମନୀଷଙ୍କ ପାଖରୁ ୨.୪ ଗ୍ରାମ ଗଞ୍ଜେଇ ଜବତ୍ ହୋଇଥିଲା । ଉଭୟ କ୍ରୁଜ ଡ୍ରଗ୍ସ ପାର୍ଟିରେ ୨ ଥର ଗଂଜେଇ ଟାଣିଥିବା କଥା ଏନସିବି କୋର୍ଟଙ୍କୁ ସୂଚନା ଦେଇଥିଲା । ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଉଭୟଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ମନୀଷ ଜଣେ ଖଣି ବ୍ୟବସାୟୀଙ୍କ ପୁଅ ହୋଇଥିବା ବେଳେ ଅଭିନ୍ନ ଜଣେ ସୁନା ବ୍ୟବସାୟୀଙ୍କ ପୁଅ ବୋଲି ସୂଚନା ମଳିଥିଲା । ଏମାନେ ଏକ ସାଙ୍ଗର ବ୍ୟାଚଲର ପାର୍ଟିରେ ଯୋଗଦେବାକୁ ମୁମ୍ବାଇ ଯାଇଥିଲେ । ଏମାନଙ୍କ ପକ୍ଷରୁ ଏନଡିପିଏସ କୋର୍ଟରେ ଓକିଲ ଅଜୟ ଦୁବେ ମାମଲା ଲଢିଥିଲେ । ଉଭୟଙ୍କୁ ଜାମିନ ମିଳିଥିଲେ ବି କୋର୍ଟ ନିର୍ଦ୍ଦେଶ ମିଳିପାରି ନାହିଁ । ଆଶା କରାଯାଉଛି ଯେ ଆଶନ୍ତାକାଲି କୋର୍ଟ ନିର୍ଦ୍ଦେଶ ଆସିବା ପରେ ସେମାନେ ଜେଲରୁ ମୁକୁଳିବେ ।