ଯେତେବେଳେ ବିମାନରେ ଯାତ୍ରା କରିବା ଉପରେ ରୋକ ଲାଗିଲା, ସେତେବେଳେ ମୋ ବସ ତାର ଦ୍ୱାର ଖୋଲିଲା । ଆମେ କହୁଛୁ କମେଡିଆନ୍ କୁନାଲ କାମ୍ରାଙ୍କୁ ନେଇ ମୋ ବସ୍ ଏମଡି ଅରୁଣ ବୋଥ୍ରା କରିଥିବା ଟ୍ୱିଟ୍ କଥା । ।ଜାତୀୟ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୌସ୍ୱାମୀଙ୍କୁ ଦୁର୍ବବ୍ୟହାର କାରଣରୁ ଦେଶର ପ୍ରମୁଖ ଏୟାରଲାଇନ୍ସ ଯେତେବେଳେ କୁନାଲଙ୍କ ବିମାନ ଯାତ୍ରା ଉପରେ ରୋକ ଲଗାଇଛନ୍ତି ସେତେବେଳେ କୁନାଲଙ୍କୁ ମୋ ବସରେ ଯାତ୍ରା କରିବାକୁ ସ୍ୱାଗତ ଅଫର କରିଛନ୍ତି କ୍ରୁଟ ଏମଡି ଅରୁଣ ବୋଥ୍ରା । ଭୁବନେଶ୍ୱର ଗସ୍ତରେ ଆସିଲେ ମୋ ବସରେ ଯାତ୍ରା କରିବାକୁ କୁନାଲଙ୍କୁ ସ୍ୱାଗତ କରାଯିବ ବୋଲି କହିଛନ୍ତି ଅରୁଣ । ମୋ ବସର ହୃଦୟ ବହୁତ ବଡ । ମୋ ବସରେ ଯାତ୍ରା ସମୟରେ କାହା ସହ ପାନ୍ତର ଅନ୍ତର କରାଯାଏ ନାହିଁ । ଅରୁଣ ଏହାମଧ୍ୟ କହିଛନ୍ତି, ବ୍ୟକ୍ତିଗତ ଭାବେ ହୁଏତ ମୁଁ କୁନାଲଙ୍କ ବ୍ୟବହାରକୁ ପସନ୍ଦ କରିବି ନାହିଁ କିନ୍ତୁ କ୍ରୁଟର ଏମଡି ଭାବେ ସବୁବେଳେ ମୋ ବସରେ ଯାତ୍ରା କରିବାକୁ କୁନାଲଙ୍କୁ ସ୍ୱାଗତ କରିବି ।

Advertisment

ଅରୁଣଙ୍କ ଟ୍ୱିଟକୁ ମୋ ବସ ପକ୍ଷରୁ ରିଟ୍ୱିଟ୍ କରି କୁହାଯାଇଛି ଯେ, ମୋ ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଭଲ ବ୍ୟବହାର କରାଯାଇଥାଏ । ଏହି ବସରେ କାହା ସହ ପାନ୍ତର ଅନ୍ତର କରାଯାଏ ନାହିଁ । ଏହାଛଡା ଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷା ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଉ । ଏଭଳି ଟ୍ୱିଟ୍ ପରେ ଏବେ ମୋ ବସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ତେବେ କୁନାଲ କାମ୍ରାଙ୍କୁ ନେଇ କାହିଁକି ମଙ୍ଗଳବାର ଠାରୁ ଚର୍ଚ୍ଚା ହେଉଛି? କାହିଁକି କୁନାଲ କାମ୍ରାଙ୍କ ବିମାନ ଯାତ୍ରା ଉପରେ ବ୍ୟାନ ଲଗାଇଛନ୍ତି ୪ ପ୍ରମୁଖ ଏୟାରଲାଇନ୍ସ । ତାହା ଜାଣିବାକୁ ହେଲେ ଆପଣଙ୍କୁ ମଙ୍ଗଳବାର ଇଣ୍ଡିଗୋ ଫ୍ଲାଇଟରେ ହୋଇଥିବା ପୂରା ଘଟଣା ଜାଣିବା ଆବଶ୍ୟକ । ମଙ୍ଗଳବାର ଷ୍ଟାଣ୍ଡଅପ କମେଡିଆନ କୁନାଲ କାମ୍ରା ଓ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୌସ୍ୱାମୀ ଇଣ୍ଡିଗୋ ବିମାନରେ ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିଲେ । ତେବେ ବିମାନରେ ଅର୍ଣ୍ଣବଙ୍କୁ ଦେଖି କୁନାଲ ସାମ୍ବାଦିକତା ଉପରେ କିଛି ପ୍ରଶ୍ନ କରିଥିଲେ । ଏପରିକି ଦେଶ ଜାଣିବାକୁ ଚାହୁଁଛି ସେ ଭୀରୁ ନା ସାମ୍ବାଦିକ ବୋଲି କୁନାଲ ପଚାରିଥିଲେ । ଯାହାର କୌଣସି ଉତ୍ତର ଦେଇନଥିଲେ ଅର୍ଣ୍ଣବ । କିନ୍ତୁ କୁନାଲ ଅର୍ଣ୍ଣବଙ୍କୁ ଏତେ ସହଜରେ ଛାଡି ନଥିଲେ । ଲଗାତାର ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିଥିଲେ ମଧ୍ୟ ପାଟି ଖୋଲିନଥିଲେ ଅର୍ଣ୍ଣବ । କିନ୍ତୁ ତୁମେ ମାନସିକ ଭାବେ ଅସ୍ଥିର ଅଛ ବୋଲି ଅର୍ଣ୍ଣବ କହିଥିବା ଅଭିଯୋଗ ଆଣିଥିଲେ କୁନାଲ । ଯାହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ କୁନାଲ ।

ବିମାନ ଭିତରେ ସହଯାତ୍ରୀଙ୍କ ସହ ଏଭଳି ଅଭଦ୍ରାମି କରିବା କାରଣରୁ କୁନାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନୋଟିସ ଜାରି କରିଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ । ଆଉ ଏହାପରେ ବିମାନରେ ଅର୍ଣ୍ଣବ ଗୌସ୍ୱାମୀ ଓ ସହଯାତ୍ରୀଙ୍କୁ ଚିଡାଇବା ଅଭିଯୋଗରେ ଇଣ୍ଡିଗୋ ୬ ମାସ ପାଇଁ କୁନାଲଙ୍କ ବିମାନ ଯାତ୍ରା ଉପରେ ରୋକ ଲଗାଇଥିଲା । ସେହିଭଳି ସ୍ପାଇସଜେଟ, ଏୟାର ଇଣ୍ଡିଆ ଓ ଗୋ ଏୟାର ମଧ୍ୟ ଇଣ୍ଡିଗୋ ରାସ୍ତା ଆପଣାଇଥିଲେ । କୁନାଲଙ୍କ ବିମାନ ଯାତ୍ରା ଉପରେ ରୋକ ଲଗାଇଥିଲେ । କିନ୍ତୁ ଏହାକୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି । ତେବେ କୌଣସି ଯାତ୍ରୀଙ୍କ ବିମାନ ଯାତ୍ରା ଉପରେ ରୋକ ଲଗାଇବା ନେଇ କଣ ନିୟମ ରହିଛି ଜାଣିବାର ଆବଶ୍ୟକତା ରହିଛି ।

ବିମାନରେ ହଙ୍ଗାମା କିମ୍ବା ଦୁର୍ବବ୍ୟହାର କରୁଥିବା ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୨୦୧୭ରେ କେନ୍ଦ୍ର ସରକାର ନୂଆ ନିୟମ ଆଣିଥିଲେ । ଯଦି କୌଣସି ଯାତ୍ରୀଙ୍କ ବିମାନ ଯାତ୍ରା ଉପରେ ନିଦ୍ଦିଷ୍ଟ ଏୟାରଲାଇନ୍ ବ୍ୟାନ୍ ଲଗାଉଛନ୍ତି ତେବେ ଅନ୍ୟ ଏୟାରଲାଇନ ମଧ୍ୟ ସେହି ସମାନ ନିୟମ ଆପଣାଇବାକୁ ବାଧ୍ୟ ନୁହଁନ୍ତି । କିନ୍ତୁ କୁନାଲଙ୍କ କ୍ଷେତ୍ରରେ ବିଭିନ୍ନ ଏୟାରଲାଇନ କାହିଁକି ବିମାନ ଯାତ୍ରା ଉପରେ ରୋକ ଲଗାଇଲେ ତାହା ଉପରେ ଉଠିଛି ପ୍ରଶ୍ନ । ଆଉ ଏଭଳି ସ୍ଥିତିରେ ଭୁବନେଶ୍ୱରକୁ କୁନାଲ ଆସିଲେ ତାଙ୍କୁ ମୋ ବସରେ ଯାତ୍ରା କରିବାକୁ ସ୍ୱାଗତ କରାଯିବ ବୋଲି କହିଛନ୍ତି ଅରୁଣ ବୋଥ୍ରା ।