ଖତ ଖାଇଲା, ଶାଗମାଛ ଦରରେ ବିକ୍ରିହେଲା… ଶେଷରେ କବାଡ଼ିଆ ନେଲା ୧୨୧ ସିଟି ବସ୍

198

କନକ ବ୍ୟୁରୋ: ମୋ ସାଇକେଲ ଯୋଜନା କିପରି ଖତ ଖାଇଥିଲା, ତାହା ସମସ୍ତେ ଦେଖିଥିଲେ, କିନ୍ତୁ ଏବେ ଦେଖନ୍ତୁ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସିଟି ବସର ଅବସ୍ଥା । କୋଟି କୋଟି ଟଙ୍କାର ବସ, ଡିପୋରେ ପଡ଼ି ଖତ ଖାଇବା ପରେ ଏବେ କବାଡ଼ିଆଙ୍କୁ ବିକ୍ରି କରାଯାଇଛି । ସରକାରୀ ଅର୍ଥକୁ କିଭଳି ଶ୍ରାଦ୍ଧ କରାଯାଏ, ତା’ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀରେ ।

୨୦୧୦ରେ ରାଜଧାନୀରେ ଆରମ୍ଭ ହୋଇଥିଲା ସିଟି ବସ୍ ସେବା । ୨୨ କୋଟି ଟଙ୍କାରେ ସରକାର ୧୨୫ଟି ବସ କିଣିଥିଲେ । ୭ ବର୍ଷ କାଳ ଭୁବନେଶ୍ୱରରେ ଗଡିଥିଲା ସିଟି ବସ । ତା’ପରେ ସିଟି ବସ ଯୋଜନାକୁ ନାଲିଫିତା ତଳେ ରଖି ସରକାର ଆରମ୍ଭ କଲେ ମୋ ବସ୍ ସେବା । ୨୦୧୭ରେ ଏହି ବସ ଗୁଡିକୁ ପୋଖରିପୁଟ ଡିପୋରେ ପକାଇ ଦେଇଥିଲେ କର୍ତ୍ତୃପକ୍ଷ । ବର୍ଷ ବର୍ଷ ଧରି ଖରା, ବର୍ଷାରେ ପଡି ଖତ ଖାଇବା ପରେ ଶେଷରେ କୋଲକାତାର ଏକ ସ୍କ୍ରାପେଜ ସଂସ୍ଥାକୁ ଏସବୁ ବସକୁ ଶାଗମାଛ ଦରରେ ଟେକି ଦେଲେ ରାଜ୍ୟ ସରକାର ।

ଘରୋଇ ବସ ଗୁଡିକ ୧୫ ବର୍ଷ ପର୍ଯ୍ୟନ୍ତ ରାସ୍ତାରେ ଚାଲୁଥିବା ବେଳେ ସରକାରୀ ବସଗୁଡିକୁ ମାତ୍ର ୭ ବର୍ଷ ବ୍ୟବହାର କରି ନଷ୍ଟ ହେବା ପାଇଁ ଛାଡିଦେବା କେତେ ଠିକ୍, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।