ପୁଣି ରିମାଣ୍ଡରେ ଶାହାରୁଖଙ୍କ ପୁଅ ଆରୟନ୍ : ଅଧିକ ଖୋଳତାଡ଼ କରୁଛି ଏନସିବି, ଅନ୍ୟ ଅଭିଯୁକ୍ତଙ୍କ ସହ ବସାଇ କରାଯିବ ଜେରା

137

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ସମେତ ୩ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି ନାର୍କୋଟିସ୍ କଣ୍ଟ୍ରୋଲ ବ୍ୟୁରୋ । ଆରୟନ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ଜବତ ହୋଇଥିବା ତାଙ୍କ ମୋବାଇଲରୁ କିଛି ଆପତିଜନକ ଜିନିଷ ଦେଖିବାକୁ ମିଳିଛି । ଆନ୍ତର୍ଜାତୀୟ ଡ୍ରଗ୍ସ କାରବାରରେ ଆରୟନଙ୍କ ସମ୍ପୃକ୍ତି ଥିବା ନେଇ ମୋବାଇଲରୁ ମିଳିଥିବା ଫଟୋ ଏବଂ ଚାଟକୁ ଦେଖି ଏନସିବି ସନ୍ଦେହ କରୁଛି । ଅଭିଯୁକ୍ତମାନଙ୍କୁ ଏନସିବି ମୁହାଁମୁହିଁ ଜେରା କରିବ ବୋଲି ସୂଚନା ମିଳିଛି । ଆରୟନଙ୍କ ମୋବାଇଲକୁ ମିଳିଥିବା କିଛି ଫୋଟରେ କିଛି ସେପରି ବ୍ୟକ୍ତିଙ୍କ ସହ ଆରୟନଙ୍କ ଫଟୋ ଦେଖିବାକୁ ମିଳିଛି ।

କିନ୍ତୁ ଆରୟନଙ୍କ ଓକିଲ ସଚିନ ମାନସିଂ ଦେ କହିଛନ୍ତି, ଚାଟ ଏକ ପ୍ରମାଣ ନୁହେଁ ଯେଉଁଥିପାଇଁ ୨୩ ବର୍ଷିୟ ଯୁବକ ବିରୋଧରେ ଏଭଳି ଆରୋପ ଲଗାଇବା । ଆରୟନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳିନାହିଁ । ଆରୟନଙ୍କ କୌଣସି ଅପରାଧିକ ସମ୍ପୃକ୍ତି ନାହିଁ । ଯଦି ଏଭଳି କିଛି ଥାନ୍ତା, ସେ ପୋଲିସକୁ ସହଯୋଗ ନକରି ପଳାଇ ଯାଇପାରିଥାନ୍ତେ । ଚାଟ୍ ଯାହାବି ହେଉନା କାହିଁକି ଆରୟନ ଯେତେବେଳେ ବିଦେଶରେ ରହୁଛନ୍ତି ତାଙ୍କର ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ରେ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଈଛି । ଓକିଲ କହିଛନ୍ତି ଆରୟନ କ୍ରୁଜରେ କାହିଁକି ଡ୍ରଗ୍ସ ବିକ୍ରି କରିବେ । ସେ ଚାହିଁଲେ କ୍ରୁଜ୍ କିଣିପାରିବେ । ଅଭିଯୁକ୍ତମାନଙ୍କୁ ଏନସିବି ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ।