ରୁଷିଆ ତେଲ ଉପରେ ଆମେରିକାର ପ୍ରତିବନ୍ଧକ । ଆକାଶ ଛୁଆଁ ଅଶୋଧିତ ତୈଳର ଦର ।

309

କନକ ବ୍ୟୁରୋ : ଅର୍ଥନୀତି ଉପରେ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଲାଣି । ଅଶୋଧିତ ତେଲ ବା କ୍ରୁଡ ଅଏଲର ମୂଲ୍ୟ ହୁ ହୁ ହୋଇ ବଢ଼ିଚାଲିଛି । ଏପରିକି ବ୍ୟାରେଲ ପିଛା ମୂଲ୍ୟ ୧୪୦ ଡଲାର ପହଞ୍ଚିଲାଣି । ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ରୁଷ୍ ଉପରେ ଆମେରିକାର କଟକଣା ପରେ ତେଲଦର ଆହୁରି ବଢ଼ିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଆକଳନ କରିସାରିଲେଣି ।

ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷକୁ ଶିକ୍ଷା ଦେବାକୁ ଯାଇ ମଙ୍ଗଳବାର ରୁଷର ତେଲ ଓ ଗ୍ୟାସ ରପ୍ତାନୀ ଉପରେ୍ ପ୍ରତିବନ୍ଧକ ଲଗାଇଛି ଆମେରିକା । ଜୋ ବାଇଡେନ କହିଛନ୍ତି, ଏହା ମସ୍କୋ ଅର୍ଥନୀତିକୁ ବିଗାଡିଦେବ ଓ ରୁଷ ବାଟକୁ ଆସିବ ।

ରୁଷିଆ ତେଲ ଉପରେ ଆମେରିକାର ପ୍ରତିବନ୍ଧକ । ଆକାଶ ଛୁଆଁ ଅଶୋଧିତ ତୈଳର ଦର । ଆମେରିକା ରୁଷର ଅଶୋଧିତ ତେଲ ଆମଦାନୀ ଉପରେ ରୋକ ଲଗାଇବା ପରେ ଅନ୍ତର୍ଜାତୀୟ ବଜାରରେ ଏହାର ପ୍ରଭାବ ପଡିଛି । ୧୪ ବର୍ଷର ରେକର୍ଡ ଭାଙ୍ଗିଛି ଅଶୋଧିତ ତେଲର ଦର । ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୧୪୦ ଡଲାରକୁ ଛୁଇଁଛି । ଆଗକୁ ଏହି ଦର ଆହୁରି ବଢିବା ସମ୍ଭାବନା ରହିଛି ।

ଆମେରିକା ରୁଷୀୟ ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ରୁଷ ଡେପୁଟୀ ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡର କହିଥିଲେ, ଏହି କାର୍ଯ୍ୟାନୁଷ୍ଠାନ ହେଲେ ଅଶୋଧିତ ତେଲର ଦର ବ୍ୟାରେଲ ପିଛା ୩ଶହ ଡଲାରକୁ ଛୁଇଁବ । ଯାହା ସାରା ବିଶ୍ୱକୁ ପ୍ରଭାବିତ କରିବ ।

ରୁଷ ହେଉଛି, ବିଶ୍ୱର ଦ୍ୱିତୀୟ ତୈଳ ରପ୍ତାନୀକାରୀ ଦେଶ । ତେଣୁ ରୁଷ ତୈଳ ଉପରେ ପ୍ରତିବନ୍ଧକ ଲାଗିଲେ, ଅନ୍ତର୍ଜାତୀୟ ବଜାର ପ୍ରଭାବିତ ହେବା ନିଶ୍ଚିତ । ଏପଟେ ଭାରତରେ ୫ ରାଜ୍ୟର ନିର୍ବାଚନ ଥିବାରୁ ଗତ ନଭେମ୍ବର ମାସରୁ ତୈଳ ଦର ଉପରେ ବ୍ରେକ କଷିଛନ୍ତି କେନ୍ଦ୍ର ସରକାର । ମାର୍ଚ୍ଚ ୧୦ରେ ବିଧାନସଭା ଫଳାଫଳ ଆସିବା ପରେ ପେଟ୍ରୋଲ, ଡିଜେଲ ଦର ବଢିବ ବୋଲି କୁହାଯାଉଛି । ଅତିକମରେ ପେଟ୍ରୋଲ ଲିଟର ପିଛା ୨୦ରୁ ୨୫ ଟଙ୍କା ବଢିବ ବୋଲି ଆକଳନ କରାଯାଉଛି ।

ଆମେରିକା ରୁଷର ଅଶୋଧିତ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବା ସହ ୟୁରୋପ ୟୁନିଅନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିଛି । ପ୍ରତିବନ୍ଧକ ଯୋଗୁଁ ଅଶୋଧିତ ତୈଳ ବିକ୍ରି କରିବାରେ ସମସ୍ୟା ସାମ୍ନା କରୁଥିବା ରୁଷ, ଭାରତକୁ କମ ଦରରେ ତେଲ ଯୋଗାଇବାକୁ ପ୍ରସ୍ତାବ ମଧ୍ୟ ଦେଇଛି ।