କନକ ବ୍ୟୁରୋ: ରାକ୍ଷୀ ଆଗରୁ ଆଖି ବୁଜିଲେ ଭାଇଭଉଣୀ । ଅଧାରେ ରହିଗଲା ରାକ୍ଷୀ ବାନ୍ଧିବାର ସ୍ୱପ୍ନ । ସ୍ୱାଧୀନତା ଦିବସରେ ଚାଲିଗଲା ଦୁହିଁଙ୍କ ଜୀବନ । ରାଜନଗରରୁ ଆସିଲା ଆଖିଭିଜା କାହାଣୀ । ଆଉ ମାତ୍ର ଦୁଇ ଦିନ ପରେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତା ଭଉଣୀ । ସିନ୍ଦୂର ଚାଉଳ ଦେଇ ପୂଜା କରିଥାଆନ୍ତା । ଆଉ ରାକ୍ଷୀ ବାନ୍ଧି ଭଉଣୀ ଭାଇକୁ ଉପହାର ବି ମାଗିଥାନ୍ତା । ରାକ୍ଷୀ ପୂର୍ଣ୍ଣିମା ଆସୁଥିବାରୁ ଭାଇଭଉଣୀ ଦୁହେଁ ବେଶ ଖୁସିଥିଲେ । କିନ୍ତୁ କିଏ ଜାଣିଥିଲା ସେମାନଙ୍କ ଖୁସିରେ କାହାର ନଜର ଲାଗିଯିବ ବୋଲି । ଖୁସିର ସେ ଦିନ ଆସିବା ଆଗରୁ ସେମାନେ ଦୁହେଁ ସାଙ୍ଗହୋଇ ଆଖି ବୁଜିବେ ବୋଲି । ସ୍ନେହର ସୂତା ବନ୍ଧା ହେବା ଆଗରୁ ବିଧିର ବିଧାନ ଥିଲା କିଛି ଅଗଲା । ଯେଉଁଥିପାଇଁ ଦୁଇ ଭାଇ ଭାଉଣୀଙ୍କୁ ବାନ୍ଧିନେଲା ଯମ, ଖୁସିର ସେ ପର୍ବ ଭୋଗିବା ଆଗରୁ ଦୁଇ ନିଷ୍ପାପ ଶିଶୁଙ୍କୁ ପରପାରିକୁ ଡାକିନେଲା । ଓଃ କି ନିଷ୍ଠୁର ଏ ସମୟ, କି ଯନ୍ତ୍ରଣାଦାୟକ ଏ ଚିତ୍ର ।
ବାଇଟ- ଗାଁ ମହିଳା

Advertisment

ସ୍ୱାଧୀନତା ଦିବସରେ ଜଳିଗଲେ ଭାଇ ଭଉଣୀ । ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡିଯିବା ସହ ନିଆଁରେ ଜଳି ଜୀବନ୍ତଦଗ୍ଧ ହୋଇଛନ୍ତି ଭାଇଭଉଣୀ । ରାଜନଗର କୁରୁଂଟି ପଞ୍ଚାୟତ ବଳରାମପୁର ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ଯେଉଁଠି ଗ୍ୟାସ୍ ସିଲିଣ୍ଡର ଫାଟି ଅକାଳରେ ଦୁଇ କଅଁଳ କଢିଙ୍କ ଜୀବନ ଯାଇଛି । ୧୧ ବର୍ଷର ଝିଅ ଅନୁପମା ସାହାଣୀ ଏବଂ ୯ ବର୍ଷର ପୁଅ ରିଷି ସାହାଣୀଙ୍କୁ ହରାଇ ମାଆ ପାଗେଳି ପ୍ରାୟ । ମଥା ପିଟି କାନ୍ଦୁଛି ଯେ କାନ୍ଦୁଛି ।

ଏ ଦୃଶ୍ୟକୁ ଦେଖନ୍ତୁ । କେମିତି ଖୁସିରେ ନାଚୁଛନ୍ତି ଭାଇଭଉଣୀ । ସ୍ୱାଧୀନତା ଦିବସରେ ନୃତ୍ୟୁ କରି ଦୁହେଁ ପୁରସ୍କାର ବି ପାଇଥିଲେ । ଆଉ ଖୁସି ହୋଇ ଘରକୁ ଯାଇଥିଲେ । ହେଲେ ଘରେ ହିଁ ଦୁହିଁଙ୍କୁ ଜଗିଥିଲା ଯମ । ସ୍କୁଲରେ ମିଳିଥିବା ବିସ୍କୁଟକୁ ଦୁହେଁ ଖାଉଥିଲେ ଆଉ ମାଆ ଘର ବାହାରେ କାମ କରୁଥିଲେ । ଆଉ ଏତିକି ବେଳେ ହିଁ ଘର ଭିତରୁ ଗୋଟେ ପ୍ରଚଣ୍ଡ ଶବ୍ଦ ଶୁଭିଲା । ମାଆ ଦୌଡି ଯାଇ ଦେଖିଲା ବେଳକୁ ସବୁ ସରିଯାଇଥିଲା । ମାଆର ଆଖି ଆଗରେ ହିଁ ତା ଛୁଆକୁ ମୃତ୍ୟୁ ନିଆଁରେ ପୋଡି ଟାଣି ନେଉଥିଲା । ନାଁ ମାଆ ବଞ୍ଚେଇ ପାରୁଥିଲା ନା ବଡ ଭଉଣୀ ତା ସାନ ଭାଇଭଉଣୀଙ୍କୁ ରକ୍ଷା କରିପାରିଲା । ଅବସୋସରେ ଭାଙ୍ଗିପଡି ଖାଲି ବାହୁନି କାନ୍ଦୁଥିଲା...

ବାପା ବାହାର ରାଜ୍ୟରେ କାମ କରନ୍ତି । ବିଲବାଡି କାମ ଚାଲୁଥିବାରୁ ଘଟଣା ସମୟରେ ଗାଁରେ କେହି ପୁରୁଷ ନଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ନଥିଲା । ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କରିବା ପରେ ଘରର କିଛି ଜିନିଷପତ୍ର ନିଆଁ ଆଁରୁ ବର୍ତ୍ତିଯାଇଥିଲେ ବି ଦୁଇ ଭାଇଭଉଣୀଙ୍କୁ କିନ୍ତୁ କେହି ବଞ୍ଚାଇ ପାରିନଥିଲେ । ଏପଟେ କୁନିକୁନି ୨ ଛୁଆର ଆକସ୍ମିତ ମୃତ୍ୟୁ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିବା ବେଳେ ରାଜନଗର ବିଧାୟକ ୬୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି । ଆଉ ମୃତ୍ୟୁ ପୂର୍ବର ଦୁଇ ଭାଇଭଉଣୀଙ୍କ ଭିଡିଓ ଦେଖି ଗାଁଲୋକେ ଝୁରି ହେଉଛନ୍ତି ।