କନକ ବ୍ୟୁରୋ : ୟୁକ୍ରେନ ଓ ଋଷିଆର ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ପଡିବ । ଯୁଦ୍ଧ ପାଇଁ ବିଶ୍ୱରେ ବିଭିନ୍ନ ସ୍ଥାନରେ ଦରଦାମ ଆକାଶ ଛୁଆଁ ହେବ ବୋଲି ଜଣାପଡିଛି । ତେଣୁ ଘରର ବଜେଟ ପ୍ରଭାବିତ ହେବ । ଯୁଦ୍ଧର ପ୍ରଥମ ଦିନରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୧୦୭ ଡଲାର ପହଂଚିଛି ।
୨୦୧୪ ପରେ ପ୍ରଥମଥର ଲାଗି ଅଶୋଧିତ ତୈଳ ଦର ଏଭଳି ସ୍ତରରେ ପହଂଚିଛି । ତେଣୁ ଆଗାମୀ ଦିନରେ ବଜାରରେ ତୈଳର ଘୋର ଅଭାବ ଦେଖାଦେବାର ଆଶଙ୍କା ରହିଛି । ଯୁଦ୍ଧ ପାଇଁ ତୈଳ ଦାମ୍ ହୁ ହୁ ହୋଇ ବଢୁଛି । ଭାରତ ନିଜ ଆବଶ୍ୟକତାର ୮୨ ପ୍ରତିଶତ ତେଲକୁ ଆମଦାନୀ କରେ, ତେଣୁ ଏହା ଭାରତ ପାଇଁ ଚିନ୍ତାଜନକ । ଏବେ ଭାରତରେ ପେଟ୍ରୋଲ ଦର ୧୦୦ ଉପରେ ରହିଛି, ତେଣୁ ଆଗାମୀଦିନରେ ଏହା ଆହୁରି ବଢିବ ବୋଲି ଜଣାପଡିଛି ।
ଅଶୋଧିତ ତେଲ ଦର ଯେତେ ବଢିବ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ବିମାନର ଇନ୍ଧନ ସେହିପରି ମହଙ୍ଗା ହେବ । ଚଳିତବର୍ଷ ମଧ୍ୟରେ ଅଶୋଧିତ ତୈଳ ଦର ୨୨ ଡଲାର ବୃଦ୍ଧି ଘଟିଛି । ବିଶ୍ୱରେ ଋଷ ହେଉଛି ତୃତୀୟ ବୃହତ ତୈଳ ଆମଦାନୀ ରାଷ୍ଟ୍ର । ତେଣୁ ଯୁଦ୍ଧ ଭିତରେ ଆମଦାନୀ ପ୍ରଭାବିତ ହେବ ବୋଲି ଆଶାଙ୍କା ବୃଦ୍ଧି ପାଇଛି । ସମ୍ଭାବ୍ୟ ତୈଳ ସଙ୍କଟର ମୁକାବିଲା ପାଇଁ ଭାରତ ସରକାର ଖାଲି ଥିବା ତୈଳ ଭଣ୍ଡାର ଗୁଡିକୁ ଭର୍ତି କରିବାକୁ ଯୋଜନା କରୁଛନ୍ତି ।