କନକ ବ୍ୟୁରୋ: ଚୀନର କରୋନା ଭୂତାଣୁ ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରି ହଇଚଇ ଖେଳାଇ ଦେଇଛି । ଆଉ ଏହାର ସିଧା ପ୍ରଭାବ ପଡିଛି ଏସିଆର ତୈଳ ବଜାର ଉପରେ । କରୋନା ଯୋଗୁଁ ଅଶୋଧିତ ତୈଳ ବିକ୍ରି କମିଯିବା ପରେ ସାଉଦି ଆରବର ପ୍ରମୁଖ ତୈଲ କମ୍ପାନୀଗୁଡିକ ତେଲର ଦର କମାଇ ଦେଇଛନ୍ତି । ତୈଳ ଦରରେ ଅଭୂତପୂର୍ବ ହ୍ରାସ ଦେଖିବାକୁ ମିଳିଛି ।

Advertisment

ସାଉଦି ଆରବର ଦୁଇଟି ମୁଖ୍ୟ ତୈଳ ଠିକାଦାର କଂପାନୀ ଆଜି ସକାଳେ ୨୦ ପ୍ରତିଶତ ହ୍ରାସରେ କାରବାର ଆରମ୍ଭ କରିଛନ୍ତି । ଦୁଇ କଂପାନୀ ଟେକ୍ସାସ ସହ ବ୍ୟାରେଲ ପିଛା ୩୨ ଡଲାର ଓ ବ୍ରେଂଟ କ୍ରୁଡ ଓଏଲ ବ୍ୟାରେଲ ପିଛା ୩୬ ଡଲାରରେ ତୈଳ ବିକ୍ରି କରିଥିବା ସୂଚନା ମିଳିଛି । କେବଳ ତୈଳ ବଜାର ନୁହେଁ ଏସିଆ ଷ୍ଟକ ମାର୍କେଟକୁ ମଧ୍ୟ ଅସ୍ଥିର କରିପକାଇଛି କରୋନା ଭୂତାଣୁର ଆତଙ୍କ । ଚୀନର ସାଂଘାଇ ଷ୍ଟକ ମାର୍କେଟରେ ବେଂଚମାର୍କ ୧.୫୬ ପ୍ରତିଶତରେ ଆରମ୍ଭ ହୋଇଛି ।

ସେହିପରି ଫିଲିପାଇନ୍ସ ଷ୍ଟକ ଏକ୍ସଚେଞ୍ଜ ୪ ପ୍ରତିଶତ ହାରରେ ଖୋଲିଥିବା ସୂଚନା ମିଳିଛି । ଜାପାନର ନିକି ବେଂଚମାର୍କ ୨୨୫ ପଏଂଟରୁ ୫.୧୦ ପ୍ରତିଶତ ହ୍ରାସ ପାଇଛି । ହଂକଂ ଷ୍ଟକ ଏକ୍ସଚେଞ୍ଜ ୩.୮ ପ୍ରତିଶତ, ଅଷ୍ଟ୍ରେଲିଆ ଷ୍ଟକ ଏକ୍ସଚେଞ୍ଜ ୫ ପ୍ରତିଶତ ପଏଂଟ ହ୍ରାସ ପାଇଛି । ସେପେଟେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ କୋରିଆର ଷ୍ଟକ ମାର୍କେଟ ଉପରେ ମଧ୍ୟ ପ୍ରଭାବ ପଡିଛି । କରୋନା ଭୂତାଣୁ ସଂକ୍ରମଣ ବିଶ୍ୱରେ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ତୈଳ ବଜାର ଓ ଷ୍ଟକ ମାର୍କେଟ୍ ଗମ୍ଭୀର ଭାବେ ପ୍ରଭାବିତ ହେଉଛି ।