ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ବଡ ତଥ୍ୟ । ସନ୍ଦେହରେ ଥିବା ଅଧ୍ୟାପକଙ୍କ ଘରୁ ମିଳିଲା ଅଧା ବ୍ୟାଗ୍ ବାରୁଦ ।

60

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଲିସକୁ ମିଳିଛି ବଡ ସୁରାକ । ଏହି ଘଟଣାରେ ପୁଲିସ ଅଟକ ରଖିଥିବା ସ୍ଥାନୀୟ କଲେଜର ଅଧ୍ୟାପକଙ୍କ ଉପରେ ସନ୍ଦେହ ବଢ଼ିଛି । ତାଙ୍କ ଘରୁ ପୁଲିସ ଅଧ ବ୍ୟାଗ୍ ବାରୁଦ ଜବତ କରିଛି । ଅଧ୍ୟାପକଙ୍କ ରାମପୁରସ୍ଥିତ ପୈତୃକ ଘରୁ ଏହି ବାରୁଦ ବ୍ୟାଗ୍ ଜବତ କରାଯାଇଛି । ଗତ ଫେବୃୟାରୀ ୨୩, ଆଜକୁ ଠିକ୍ ଦୁଇ ମାସ ପୂର୍ବରୁ ପାଟଣାଗଡରେ ଏକ ଅଜଣା ଗିଫ୍ଟ ପ୍ୟାକେଟ୍ ବିସ୍ଫୋରଣରେ ସୌମ୍ୟଶେଖର ନାମକ ନବବିବାହିତ ଯୁବକ ଏବଂ ତାଙ୍କ ସମ୍ପର୍କୀୟ ଜେଜେ ମା’ଙ୍କର ମୃତ୍ୟୁ ହୋଇଯାଇଥିଲା । ଏଥିରେ ଗୁରୁତର ଆହତ ହୋଇଥିଲେ ସୌମ୍ୟଶେଖରଙ୍କ ପତ୍ନୀ ରିମା ସାହୁ । ଚିକିତ୍ସା ପରେ ରିମା ଘରକୁ ଫେରି ଆସିଛନ୍ତି ।


ତେବେ ଏହି ଗିଫ୍ଟ ପ୍ୟାକେଟ୍ କିଏ ପଠାଇଥିଲା ତାକୁ ନେଇ ଗତ ଦୁଇ ମାସ ଧରି ଅନ୍ଧାରରେ ବାଡି ବୁଲାଉଥିଲା ପୁଲିସ୍ । ଆଜି ଅଧ୍ୟାପକଙ୍କ ଘରୁ ବାରୁଦ ଜବତ ହେବା ଘଟଣା ପୁଲିସକୁ ବଡ ସୁରାକ ବୋଲି କୁହାଯାଉଛି ।ଏହି ଅଧ୍ୟାପକ ଜଣକ ସ୍ଥାନୀୟ ଭଇଁଷା କଲେଜର ଇଂରାଜୀ ଅଧ୍ୟାପକ । ପୁଲିସର କହିବା ଅନୁସାରେ ସେହି କଲେଜକୁ ସୌମ୍ୟଶେଖରଙ୍କ ମାଆ, ଅଧକ୍ଷ ହୋଇ ଆସିବା ପରେ ପୂର୍ବରୁ ଅଧ୍ୟକ୍ଷ ଥିବା ଏହି ଅଧ୍ୟାପକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହି ବିବାଦକୁ ନେଇ ଏଭଳି ଘଟଣା ଘଟିଥାଇପାରେ ବୋଲି ଅଧ୍ୟାପକଙ୍କ ଅଟକ ରଖିଥିଲା ପୁଲିସ୍ ।

bolangir
ରବିବାର ପାଟ୍ଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଂଚକୁ ବଡ ସୁରାଗ ମିଳିବା ପରେ, ମେହେରପଡାରୁ ଭଇଁସା କଲେଜର ଇଂରାଜୀ ଅଧ୍ୟାପକଙ୍କୁ ଉଠାଇ ନେଇଥିଲା ଏହି ତଦନ୍ତକାରୀ ସଂସ୍ଥା । ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଲଗାତର ଜେରା କରିଥିଲେ କ୍ରାଇମବ୍ରାଂଚ ଅଧିକାରୀ । ତଦନ୍ତ ପ୍ରଭାବିତ ହେବା ଆଶଙ୍କାରେ ପୋଲିସ କୌଣସି ସୂଚନା ଦେଉନଥିଲେ ବି ଫେବ୍ରୁଆରୀ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅଧ୍ୟାପକଙ୍କ ସଂପୃକ୍ତି ସନ୍ଦେହରେ ଗୁଡାଇ ତୁଡାଇ ପ୍ରଶ୍ନ କରୁଥିଲେ ତଦନ୍ତକାରୀ ଟିମ୍ । ଆଉ ଏହାରି ଆଧାରରେ ଆଜି ବୋମା ନିଷ୍କ୍ରିୟକାରୀ ଦଳ ଅଧ୍ୟାପକଙ୍କ ଘରେ ଚଢାଉ କରି ଅଧ ବ୍ୟାଗ୍ ବାରୁଦ ଜବତ କରିଛି ।


ନଜର ପକାନ୍ତୁ ଏହି ବହୁଚର୍ଚ୍ଚିତ ବିସ୍ଫୋରଣ ଓ ମୃତ୍ୟୁ ମାମଲାରେ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ସଂପୃକ୍ତିକୁ ନେଇ ସାମ୍ନାକୁ ଆସିଥିବା ବଡ ଥିଓରୀ ଉପରେ । ପାଟ୍ଟଣାଗଡ ଭଇଁସା କଲେଜରେ କାର୍ଯ୍ୟନିର୍ବହୀ ଅଧ୍ୟକ୍ଷ ଥିଲେ ପୁଞ୍ଜିଲାଲ ମେହେର । ସ୍ଥାୟୀ ଭାବବେ ଅଧ୍ୟକ୍ଷ ପଦରେ ରହିବା ଲାଗି ତାଙ୍କର ଅଭିଳାଶା ରହିଥିବା ଚର୍ଚ୍ଚା । ତାଙ୍କ ସ୍ଥାନରେ ମୃତ ସୌମ୍ୟଶେଖରଙ୍କ ମାଆ ହୋଇଗଲେ କଲେଜ ଅଧ୍ୟକ୍ଷା । ଯେଉଁଥିପାଇଁ ଦୁହିଁଙ୍କ ଭିତରେ ଏକ ବଡଧରଣର ବିବାଦ ରହିଥିବା କୁହାଯାଉଛି । ଅନୁମାନ କରାଯାଉଛି ଏହି ଆଧାରରେ ପର୍ସଲ ବୋମା ପଠାଇ ପରିବାରକୁ ସଫା କରିଦେବା ଉଦ୍ଦେଶ୍ୟରେ ହତ୍ୟା ଷଡଯନ୍ତ୍ର ରଚିଥାଇପାରନ୍ତି ପୁଞ୍ଜିଲାଲ ମେହେର । ହେଲେ ବିବାଦ ସେଭଳି ଗୁରୁତର ନଥିଲା ବୋଲି କହିଛନ୍ତି ମୃତ ସୌମ୍ୟଶେଖରଙ୍କ ମାଆ ।

blast
ଗତ ଫେବ୍ରୁଆରୀ ୨୩ ତାରିଖରେ ନବ ବିବାହିତ ଦମ୍ପତିଙ୍କ ପାଇଁ ପାଟ୍ଟଣାଗଡରେ ପହଂଚିଥିଲା ଜଣେ ଅଜଣା ବନ୍ଧୁଙ୍କ ପାର୍ସଲ ଉପହାର । ଯାହାକୁ ଖୋଲିବାବେଳେ ବାସ୍ଫୋରଣ ଯୋଗୁଁ ନବ ବିବାହିତ ବର ଓ ସଂପର୍କୀୟ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ହୋଇପଡିଥିଲେ ନବ ବିବାହିତ ବଧୁ । ରହସ୍ୟରେ ରହିଥିବା ସେହି ଅଜ୍ଞାତ ପ୍ରେରକର ଠିକଣା ପାଇବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ରହିଛି । ଅନୁମାନ କରାଯାଉଛି, ଖୁବଶୀଘ୍ର ଏହି ମାମଲାର ପର୍ଦ୍ଦାଫାଶ କରିବ କ୍ରାଇମବ୍ରାଂଚ ।