କନକ ବ୍ୟୁରୋ: କଶ୍ମୀରରେ ହିଂସା ସୃଷ୍ଟିକାରୀ ଏବଂ ପଥର ଆକ୍ରମଣକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏଣିକି ପେଲେଟ ଗୁଳି ବଦଳରେ କମ୍ ଘାତକ ବୋଲି କୁହାଯାଉଥିବା ପ୍ଲାଷ୍ଟିକ୍ ଗୁଳି ବ୍ୟବହାର କରିବାକୁ ଯାଉଛନ୍ତି । କଶ୍ମୀରରେ ପ୍ରଥମ ପର୍ଯ୍ୟାୟରେ ଗତକାଲି ବିଭିନ୍ନ ୟୁନିଟକୁ ୨୧ ହଜାର ପ୍ଲାଷ୍ଟିକ୍ ଗୁଳି ପଠାଯାଇଛି । publive-imageପେଲେଟ ଗୁଳି ଅଧିକ ଘାତକ ସାବ୍ୟସ୍ତ ହୋଇଥିବାରୁ ଏହା ବଦଳରେ ପ୍ଲାଷ୍ଟିକ୍ ଗୁଳିର ବ୍ୟବହାର ଅଧିକ କରିବା ପାଇଁ ସିଆରପିଏଫ୍ ନିଷ୍ପତ୍ତି ନେଇଛି । ଏହି ପ୍ଲାଷ୍ଟିକ୍ ଗୁଳି ପେଲେଟ ସଟଗନ ଭଳି କୌଣସି ସ୍ୱତନ୍ତ୍ର ବନ୍ଧୁକରୁ ବ୍ୟବହାର ହେବା ପରିବର୍ତ୍ତେ ସିଧାସଳଖ ଏକେ-୪୭ ଏବଂ ଏକେ-୫୬ ବନ୍ଧୁକର ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଦ୍ୱାରା ଏହି ଗୁଳି ବିକଶିତ ହୋଇଥିବା ବେଳେ ପୁନେସ୍ଥିତ ଗୋଳବାରୁଦ କାରଖାନାରେ ଏହାର ଉତ୍ପାଦନ ହୋଇଛି।

Advertisment

publive-imageଡିଆରଡିଓ ଦ୍ୱାରା ପ୍ରସ୍ତୁତ ପ୍ଲାଷ୍ଟିକ୍ ଗୁଳିକୁ ବ୍ୟାପକ ଭାବେ ପରୀକ୍ଷା କରାଯାଇଛି ଏବଂ ଏହା ପେଲେଟ୍ ଗନଠାରୁ ଯଥେଷ୍ଟ କମ୍ ଘାତକ ବୋଲି ଜଣାପଡ଼ିଛି । କଶ୍ମୀରରେ ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପେଲେଟ ବ୍ୟବହାରକୁ ଯଥାସମ୍ଭବ କମ୍ କରିବା ନିମନ୍ତେ ଏହି ଗୁଳିର ବିକାଶ କରାଯାଇଥିବା ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । କଶ୍ମୀରରେ ପେଲେଟ ଗନ୍ ବ୍ୟବହାର ଯୋଗୁଁ ୧୧୭ ଜଣ ଯୁବକ ଦୃଷ୍ଟି ଶକ୍ତି ହରାଇବା ପରେ ଏହାର ବ୍ୟବହାର ନିଷିଦ୍ଧ କରିବାକୁ ବିଭିନ୍ନ ମାନବାଧିକାର ସଂଗଠନ ଦାବି କରିଥିଲେ । କଶ୍ମୀରରେ ହିଜବୁଲ କମାଣ୍ଡର ବୁରହନ ଓ୍ଵାନିର ନିପାତ ପରେ ଆରମ୍ଭ ହୋଇଥିବା ବ୍ୟାପକ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ପେଲେଟ ଗନ୍ ବ୍ୟବହାର କରିଥିଲା । ହିଂସା ନ ଥମିବାରୁ ପେଲେଟ ବ୍ୟବହାର ମଧ୍ୟ ବ୍ୟାପକ ହୋଇଥିଲା । ଏଥିରେ ୩ ହଜାରରୁ ଅଧିକ ଆହତ ହୋଇଥିଲେ ।

publive-imageକଶ୍ମୀରରେ ସୁରକ୍ଷା ବାହିନୀ ଉପରେ ତୁହାକୁ ତୁହା ପଥର ଆକ୍ରମଣ ହେଉଥିବାରୁ ପେଲେଟ ଗନ୍ ବ୍ୟବହାର ଜରୁରୀ ବୋଲି ସିଆରପିଏଫ୍ ଯୁକ୍ତି ଦର୍ଶାଇଥିଲା । ପରବର୍ତ୍ତୀ ସମୟରେ ଏହି ମାମଲା ସୁପ୍ରିମ୍ କୋର୍ଟରେ ପହଞ୍ଚିଥିଲା । ପେଲେଟ ବନ୍ଦ କରିବା ପାଇଁ କଶ୍ମୀରର ନାଗରିକ ସମାଜ ପ୍ରତିନିଧିମାନେ ନିକଟରେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ନିବେଦନ କରିଥିଲେ । କେନ୍ଦ୍ର ସରକାର ପେଲେଟର ବିକଳ୍ପ ଭାବେ ପାଭା ସେଲ୍କୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ କମ୍ ଘାତକ ପ୍ଲାଷ୍ଟିକ୍ ବୁଲେଟ ବ୍ୟବହାର ପାଇଁ ଡିଆରଡିଓର ପରାମର୍ଶକ୍ରମେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି ।