ମୃତ୍ୟୁ ପରେ ଅମର ହେଲେ ସିଆରପିଏଫ୍ ଯବାନ । କୃଷ୍ଣଚନ୍ଦ୍ରଙ୍କ ଅଙ୍ଗଦାନ କଲେ ପରିବାର ଲୋକେ । କୋଲକାତାର ରୋଗୀଙ୍କ ଶରୀରରେ ଲାଗିବ କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡ ।

417

କନକ ବ୍ୟୁରୋ: ଦେହରେ ଖାକି ପୋଷାକ । ମନ ଓ ପ୍ରାଣରେ କେବଳ ଦେଶର ସୁରକ୍ଷା ଦେଶ ସେବାର ସଂକଳ୍ପ ନେଇ ସିଆରପିଏଫରେ ଭର୍ତ୍ତି ହୋଇଥିଲେ କୃଷ୍ଣଚନ୍ଦ୍ର । କେବେ କାଶ୍ମୀରର ବରଫ ପାହାଡରେ ତ ପୁଣି କେତେବେଳେ ମରୁଭୂମିରେ ଜାଗ୍ରତ ପ୍ରହରୀ ହୋଇ ଦେଶ ସେବା କରିଥିଲେ । ହେଲେ ଗତ ଦୁଇ ବର୍ଷ ହେବ କିଡନୀ ରୋଗରେ ପୀଡିତ ହେବା ପରେ ବଦଳିଯାଇଥିଲା ତାଙ୍କ ଜୀବନ । ମୃତ୍ୟୁ ସହ ଲଢେଇ ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି କୃଷ୍ଣଚନ୍ଦ୍ର । ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ସତ, କିନ୍ତୁ ମୃତ୍ୟୁ ପରେ ବି ସେ ଭୁଲିନାହାନ୍ତି ନିଜର ସଂକଳ୍ପ । ମୃତ୍ୟୁ ପରେ ବି ଦୁଇ ଦୁଇଟି ଜୀବନ ବଞ୍ଚାଇଛନ୍ତ କୃଷ୍ଣଚନ୍ଦ୍ର ।

ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ କୃଷ୍ଣଚନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା । ନିୟମିତ ଡାଇଲେସିସ୍ ବି ହେଉଥିଲା । ଡାକ୍ତରଙ୍କ ଉଦ୍ୟମ ସତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ । ସ୍ୱାମୀଙ୍କ ମୃତ୍ୟୁ ପରେ ବି ତାଙ୍କୁ ଅନ୍ୟ କାହା ଶରୀରରେ ବଞ୍ଚାଇ ରଖିବା ପାଇଁ ନିଷ୍ପତି ନେଇଥିଲେ ପତ୍ନୀ । ଅଙ୍ଗଦାନ ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ପରୀକ୍ଷା ପରେ ଜଣାପଡିଲା ଯେ, କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡ ଓ ଲିଭର ଅନ୍ୟ ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିବ । ଏହାପରେ ଅଙ୍ଗ ନେବା ପାଇଁ କୋଲକାତା ଓ ମୁମ୍ବାଇରୁ ଆସିଲା ଡାକ୍ତରୀ ଦଳ । କୃଷ୍ଣଚନ୍ଦ୍ରଙ୍କକ ହୃତପିଣ୍ଡକୁ କୋଲକାତା ଓ ଲିଭରକୁ ମୁମ୍ବାଇ ପଠାଯାଇଛିା

ଗ୍ରୀନ କରିଡରରେ ମାତ୍ର ୧୨ ମିନିଟରେ ଭୁବନେଶ୍ୱରସ୍ଥିତ ସମ ଅଲ୍ଟିମେଟରୁ ବିମାନବନ୍ଦରକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କୃଷ୍ଣଚନ୍ଦ୍ରଙ୍କ ଅଙ୍ଗ ଅଣାଯାଇ ବିମାନରେ କୋଲକତା ଓ ମୁମ୍ବାଇ ପଠାଯାଇଛି । କୃଷ୍ଣଚନ୍ଦ୍ର ସିଆରପିଏଫରେ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଦକ୍ଷ ଓ ସାହାସୀ ସୈନିକ ହେବା ପାଇଁ ସମସ୍ତଙ୍କୁ ତାଲିମ ଦେଉଥିଲେ । ଏବେ ଦୁନିଆ ଛାଡିଲା ବେଳକୁ ବି ସମସ୍ତଙ୍କୁ ଦେଇଛନ୍ତି ସମାଜ ସେବାର ବାର୍ତ୍ତା ।