କନକ ବ୍ୟୁରୋ: ଏବେ ପଞ୍ଚାୟତ ନିର୍ବାଚନ ପାଇଁ ପାଣିପାଗ ସରଗରମ । ଜୋରଦାର ଚାଲିଛି ପ୍ରଚାର । କିଏ କେତେ ପ୍ରକାର ଢଙ୍ଗରେ ଭୋଟରଙ୍କ ପାଖକୁ ଯାଇ ଭୋଟ ପାଇଁ ମନାଉଥିବାବେଳେ ସୁନ୍ଦରଗଡ ନୂଆଗାଁ ବ୍ଲକ ଉର୍ମେଇ ପଞ୍ଚାୟତରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ଜଣେ ଅବସରପ୍ରାପ୍ତ ସେନା ଯବାନ୍ । ଅତି ସରଳ ନିରାଡମ୍ବର ଢଙ୍ଗରେ ନିଜ ପଞ୍ଚାୟତ ଲୋକଙ୍କୁ ଭେଟି କରୁଛନ୍ତି ଭୋଟ ପାଇଁ ନିବେଦନ ।
ଜର୍ଜ ଉଇଲସନ୍ ଲୁଗୁନ୍ । ଦୀର୍ଘ ୨୧ ବର୍ଷ କାଳ ଦେଶର ସୁରକ୍ଷାରେ ନିଜକୁ ଉତ୍ସର୍ଗ କରିଥିଲେ । ସିଆରପିଏଫ୍ ଯବାନ ଭାବେ ସବୁବେଳେ ଦେଶର ବାହ୍ୟ ତଥା ଅଭ୍ୟନ୍ତରୀଣ କାର୍ଯ୍ୟରେ ବ୍ୟସ୍ତ ଥିବା ଉଇଲସନଙ୍କୁ ଏବେବି ଫୁରସତ୍ ନାହିଁ । ଦେଶ ମାତୃକାର ସେବା କରିବା ପରେ ଏବେ ନିଜ ଗାଁ ମାଟିର ଲୋକଙ୍କ ପାଇଁ କିଛି କରିବାକୁ ମନ ବଳାଇଛନ୍ତି । ଏକ ମାଓ ଅଧ୍ୟୁଷିତ ଇଲାକାର ସମସ୍ୟା ସହିତ ସେ ଭଲ ଭାବରେ ଜଡିତ । ତେଣୁ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଶେଷ କରି ନେଟୱାର୍କ ସମସ୍ୟାକୁ ଦୂରେଇବାକୁ ପ୍ରତିବଦ୍ଧ ଉଇଲସନ୍ ଲୁଗୁନ୍ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଜନସାଧାରଣଙ୍କ ଦୁଃଖ ଦୂରେଇବାକୁ ଅଣ୍ଟା ଭିଡିଛନ୍ତି ।
ଅବସର ପରେ ଗାଁକୁ ଫେରିଥିଲେ ଉଇଲସନ୍ । ଭାବିଥିଲେ କିଛି ଦିନ ବିଶ୍ରାମ ନେବା ପରେ କିଛି କରିବେ । ହେଲେ ସ୍ଥାନୀୟ ଲୋକଙ୍କ ଜିଦ୍ ସେ ନିର୍ବାଚନରେ ଛିଡା ହେବେ । କାରଣ ଉଇଲସନ୍ ଜଣେ ସେନା ଯବାନ୍ ଥିବାରୁ ତାଙ୍କ ଉପରେ ଲୋକଙ୍କର ଦୃଢ ବିଶ୍ୱାସ । ତେଣୁ ଲୋକଙ୍କ ଆସ୍ଥା ଓ ଆନ୍ତରିକତାକୁ ଦୂରେଇ ପାରିନଥିଲେ ଉଇଲସନ୍ । ଶେଷରେ ସରପଞ୍ଚ ପଦ ପାଇଁ ଭରିଥିଲେ ନାମାଙ୍କନ ପତ୍ର । ଆଉ ଏବେ ଘର ଘର ବୁଲି ଲୋକଙ୍କ ସହ ଆଲୋଚନା କରୁଛନ୍ତି ଏବଂ ଭୋଟ ପାଇଁ ନିବେଦନ କରୁଥିଲେ ।