ସିଆରପିଏଫ୍ ଯବାନଙ୍କ ଉପରେ ଲାଗିଲା ମାଓବାଦୀଙ୍କୁ ଅସ୍ତ୍ର ଯୋଗାଉଥିବା ଅଭିଯୋଗ, ୩ ଗିରଫ

443

କନକ ବ୍ୟୁରୋ : ଗୋଟିଏପଟେ କେନ୍ଦ୍ର ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ନକ୍ସଲମାନଙ୍କୁ ସମାପ୍ତ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତ ଅନ୍ୟପଟେ ନକ୍ସଲ ଅଭିଯାନରେ ସାମିଲ ହୋଇଥିବା ଯବାନମାନେ ନକ୍ସଲଙ୍କୁ ସହାୟତା ଯୋଗାଉଛନ୍ତି । ଏଭଳି ଅଭିଯୋଗ ଆସିଛି ଝାଡଖଣ୍ଡରୁ । ଏଠାରେ ଏଟିଏସ ତରଫରୁ ମାଓବାଦୀଙ୍କୁ ଅସ୍ତ୍ର ଯୋଗାଉଥିବା ଅଭିଯୋଗରେ ଜଣେ ସିଆରପିଏଫ ଯବାନ ସମେତ ୩ ଜଣଙ୍କୁ ଗିରଫ କରିଛି । ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଝାଡଖଣ୍ଡ ପୋଲିସ ଏଟିଏସର ପୋଲିସ ଅଧିକ୍ଷକ ପ୍ରଶାନ୍ତ ଆନନ୍ଦ କହିଛନ୍ତି କି ଜଣେ ସିଆରପିଏଫ ଯବାନଙ୍କ ସମେତ ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତ ନକ୍ସଲ ସଂଗଠନ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ସଂଗଠନକୁ ଅସ୍ତ୍ର ଯୋଗାଉଥିଲେ ।

ସେ ଆହୁରି କହିଛନ୍ତି କି, ଗିରଫ ହୋଇଥିବା ସିଆରପିଏଫ ଯବାନ ଅବିନାଶ କୁମାର ଓରଫ ଚୁନ୍ନୁ ମାଧ୍ୟମରେ ଅନ୍ୟ କିଛି ଲୋକ ମାଓବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିଲେ । ଚନ୍ନୁ ବର୍ତ୍ତମାନ ସିଆରପିଏଫର ୧୮୨ ବାଟାଲିୟନର ଜଣେ ଯବାନ ଭାବେ କାମ କରୁଛନ୍ତି ।

ଅବିନାଶ ତାଙ୍କର ଦୁଇ ସହଯୋଗୀ ଋଷି କୁମାର ଓ ପଙ୍କଜ କୁମାରଙ୍କ ସହାୟତାରେ ମାଓବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ପ୍ରମାଣ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ଏହାସହ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ ହୋଇଛି ।