କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ବଡ ଅର୍ଦ୍ଧସାମରିକବଳର ଗୁଇନ୍ଦା ବିଭାଗକୁ ଆହୁରି ମଜବୁତ କରିବା ପାଇଁ ଖୁବଶୀଘ୍ର ସିଆରପିଏଫରେ ୬୫୯ ଜଣ ଅଧିକାରୀ ଯୋଗ ଦେବାକୁ ଯାଉଛନ୍ତି । ସେମାନଙ୍କୁ ଜମ୍ମୁ-କାଶ୍ମୀରର ନକ୍ସଲ ପ୍ରଭାବିତ ଅଞ୍ଚଳ ସହ ଦେଶର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯିବ । ଏନେଇ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଇଣ୍ଟେଲିଜେନ୍ସ ଗ୍ରେଡ ପାଇଁ ୬୫୯ ଜଣ ଗୁଇନ୍ଦା ଅଧିକାରୀ ନିଯୁକ୍ତିକୁ ଗୃହମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Advertisment

ସୂତ୍ର ସୂଚନା ମୁତାକ ଗୁଇନ୍ଦା ଗ୍ରେଡ ପାଇଁ ପାଖାପାଖି ୩୬ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ମିଳିବ । ଏହି ଶାଖା କେବଳ ଗୁଇନ୍ଦା ଗିରି ପାଇଁ ନିୟୋଜିତ ହେବେ । ଏହି ବିଭାଗର ଜମ୍ମୁ-କାଶ୍ମୀର, ଉତ୍ତର-ପୂର୍ବ ଓ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ସିଆରପିଏଫ୍ ମୁଖ୍ୟାଳୟ ଏବଂ ୪୩ ବାଟାଲିୟନର ଯାଂଚ କରାଯାଇଛି ଏବଂ ସମସ୍ତ ପଦବୀ ପାଇଁ ସହମତି ଦିଆଯାଇଛି । ୯ଜଣ କମାଣ୍ଡାଣ୍ଟ, ୨୮ ଜଣ ଡେପୁଟି କମାଣ୍ଡାଣ୍ଟ, ୧୦୭ ଜଣ ଇନ୍ସପେକ୍ଟର, ୧୮୯ ଜଣ ହେଡ୍ କନେଷ୍ଟବଳ ଓ ୧୮୨ ଜଣ କନେଷ୍ଟବଳ ପଦବୀ ଖାଲି ପଡିଛି ।

ଗୁଇନ୍ଦା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଜମ୍ମୁ-କଶ୍ମୀରରେ ଅଧିକାଂଶ ଗ୍ରାଉଣ୍ଡ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି ସୂତ୍ର ସୂଚନା ରହିଛି । ଗୁଇନ୍ଦା ମହାନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଗୁଇନ୍ଦା ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି । ସେମାନଙ୍କୁ ଡିଆଇଜି (ମିଡିଆ ଏବଂ କମ୍ୟୁନିକେସନ) କମାଣ୍ଡାଣ୍ଟ (ଇଣ୍ଟେଲିଜେନ୍ସ) ଏବଂ ଲୋକ ସଂପର୍କ ଅଧିକାରୀ ସହଯୋଗ କରୁଛନ୍ତି ।

ଏହି ୬୫୯ ଜଣ ଗୁଇନ୍ଦା ଅଧିକାରୀଙ୍କୁ ୯ଟି ସେକ୍ଟର ମୁଖ୍ୟାଳୟ, ୧୭ଟି ରେଞ୍ଜ ମୁଖ୍ୟାଳୟ ଏବଂ ସିଆରପିଏଫର ୪୩ ବାଟାଲିୟନରେ ଅବସ୍ଥାପିତ କରାଯିବ । ଏହି ନିଯୁକ୍ତି ପାଇଁ ଗୃହ ମନ୍ତ୍ରଣାଳୟ ଏକ ଚିଠି ଜାରି କରିଛି । ଏହାସହ ୯ଟି ପଦବୀକୁ ମଧ୍ୟ ଉଚ୍ଛେଦ କରାଯାଇଛି ।