ବଲାଙ୍ଗୀର ପାଟଣାଗଡ ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ଏନକାଉଣ୍ଟର ! ୨ ମାଓବାଦୀ ମୃତ, ଏବେ ବି ଗୁଳି ବିନିମୟ ଜାରି ।

32

କନକ ବ୍ୟୁରୋ : ଦୁର୍ବଳ ହେଉଛି ମାଓବାଦୀ ସଙ୍ଗଠନ । ଧ୍ୱଂସ ହେଉଛି ଗଡ । ବଲାଙ୍ଗୀରରେ ମାଓବାଦୀ – ସୁରକ୍ଷାକର୍ମୀ ମୁହାଁମୁହିଁ । ପାଟଣାଗଡ ବେଲପଡା ବ୍ଲକ ଦୁଡୁବାମାଳରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ଏଥିରେ ଦୁଇଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଏବେ ବି ସେଠାରେ ଗୁଳିବିନିମୟ ଜାରି ରହିଛି । ଘଟଣା ପରେ ସିଆରପିଏଫ କମ୍ବିଂ ଅପରେସନକୁ ଜୋରଦାର କରିଛି ।

ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ଜିଲ୍ଲା ପୋଲିସ ଏବଂ ସିଆରପିଏଫ ଜବାନ ମାନଙ୍କର କମ୍ବିଂ ଅପରେସନ ହୋଇଥିଲା । ପାଟଣାଗଡ ବେଲପଡା ବ୍ଲକ ଦୁଡୁବାମାଳର ଜୁଡକାମାଲରେ ୬ଜଣ ମାଓବାଦୀ ବିଦ୍ୟାଧର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଖାଇବା ପିଇବାର ବ୍ୟବସ୍ଥା କରିଥିଲେ । ଏପରିକି ବିଳମ୍ବିତ ରାତିରେ ଏକ ସଭାର ମଧ୍ୟ ଆୟୋଜନ କରାଯାଇଥିଲା ।

ତେବେ ଏନେଇ ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହା ପରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ହୋଇଥିଲା । ଏହା ପରେ ସେଠାରେ ସିଆରପିଏଫ ଜବାନ ମୁତୟନ ହୋଇଥିଲେ । ପାଖାପାଖି ୧ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା । ଏଥିରେ କିଛି ସିଆରପିଏଫ ଜବାନ ମାନେ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ହିଁ ସଞ୍ଜୁ ଏବଂ ରାକେଶ ଦୁଇଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା । ଏପରିକି ଏହି ମାଓବାଦୀଙ୍କ ଉପରେ ୨୫ ଲକ୍ଷ ଟଙ୍କାର ଇନାମ ରଖାଯାଇଥିଲା ।