ଦିନ ଦ୍ୱିପହରରେ ରାସ୍ତା ଉପରେ ଯୁବକଙ୍କୁ ହାଣି ବିଭତ୍ସ ହତ୍ୟା । ଭୁବନେଶ୍ୱରର ଆଇନଶୃଙ୍ଖଳାକୁ ନେଇ ଉଠିଲା ପ୍ରଶ୍ନ ।

484

କନକ ବ୍ୟୁରୋ: ଭୁବନେଶ୍ୱରର ବିଚ ରାସ୍ତାରେ ଲୋମହର୍ଷଣକାରୀ ହତ୍ୟା । ଏମିତି ସେମିତି ହତ୍ୟା ନୁହେଁ, ଶହ ଶହ ଲୋକଙ୍କ ସାମ୍ନାରେ ହତ୍ୟାକାଣ୍ଡ ଘଟାଇଲେ ଦୁଇଭାଇ । ଏକ ପିକଅପ ଭ୍ୟାନ ଭିତରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ମାରଣାସ୍ତ୍ରରେ ଭୁଷି ଚାଲିଥିଲେ ଦୁଇଭାଇ । ଯାହାକୁ ଦେଖି ରାସ୍ତାରେ ଗାଡି ବି ଅଟକି ଯାଇଥିଲା ଆଉ ସ୍ତବ୍ଧ ହୋଇଯାଇଥିଲେ ଲୋକେ । ଘଟଣା ଏମିତି ଘଟିଥିଲା ଯେ, ବାଟରେ ଯାଉଥିବା ଲୋକ ବି ଅଭିଯୁକ୍ତଙ୍କୁ ପୁଲିସ ଉପସ୍ଥିତିରେ ପିସିଆର ଭ୍ୟାନ ଭିତରୁ ଟାଣିଆଣି ଗୋଡାଇ ଗୋଡାଇ ପିଟିଥିଲେ । ଆଉ ନିଜ ଜୀବନକୁ ବଞ୍ଚାଇବାକୁ ହାତଯୋଡି ଲୋକଙ୍କ ଆଗରେ କାକୁତି ମିନତି ହୋଇଥିଲେ ଦୁଇ ଅଭିଯୁକ୍ତ ।

ତେବେ ରାଜଧାନୀର ଛାତି ଉପରେ ଏହି ଛାତିଥରା ହତ୍ୟାକାଣ୍ଡ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି । ଗୋଟିଏ ପଟେ ଗୁୁରୁତର ଅବସ୍ଥାରେ ହସପିଟାଲରେ ଯୁବକ ଟୁକୁନାଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ୨ ଅଭିଯୁକ୍ତଙ୍କୁ ପିସିଆର ଭ୍ୟାନରୁ ଟାଣିକି ମାରିବା ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି ।

ସମ୍ପୂର୍ଣ୍ଣ ଘଟଣା ହେଉଛି, ଆଜି ଦିନ ପ୍ରାୟ ୧୨ଟା ବେଳେ ହଠାତ୍ ସିଆରପି ଛକ ରାସ୍ତାମଝିରେ ଅଟକିଥିଲା ପିକଅପ ଭ୍ୟାନ୍ । ଯାହାର ନମ୍ବର ଥିଲା ଓଡି-୦୨-ବିଏନ-୧୨୩୧ । କଣ ଘଟିଛି ବୋଲି ଭାବି ଲୋକେ ଗାଡିପାଖକୁ ଗଲାପରେ ଆଖି ସାମ୍ନାରେ ହତ୍ୟାର ଦୃଶ୍ୟ ଦେଖି ହୋସ ଉଡିଯାଇଥିଲା । ଦୁଇଭାଇ ଅନ୍ୟ ଜଣେ ଯୁବକଙ୍କୁ ଗାଡି ଭିତରେ ମାଡବସି ମାରଣାସ୍ତ୍ରରେ ଭୁଷି ଚାଲିଥିଲେ ।

ମିଳିଥିବା ସୂଚନା ମୁତାବକ, ସାଲିଆସାହି ବସ୍ତିରେ ରହୁଥିବା ୩ ଯୁବକଙ୍କ ଭିତରେ ପୂର୍ବରୁ ବଡଧରଣର ଶତ୍ରୁତା ରହିଥିଲା । ଅଭିଯୁକ୍ତର ସମ୍ପର୍କୀୟଙ୍କ ସହିତ ମୃତ ଯୁବକଙ୍କ ପ୍ରେମ ଓ ବ୍ଲାକମେଲିଂ ଘଟଣା ଏହି ମର୍ଡର ପଛର ମୁଖ୍ୟ କାରଣ ବୋଲି କହିଛନ୍ତି ମୃତ ବ୍ୟକ୍ତିଙ୍କ ବନ୍ଧୁ । ତେବେ ସବୁପରେ, ଦିନ ଦ୍ୱିପହରରେ ଏଭଳି ଘଟଣା ଘଟୁଥିବାବେଳେ ରାତିର ଅନ୍ଧାରରେ ସାଧାରଣ ଲୋକେ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି । ତା ସହିତ ପୁଲିସ ସାମ୍ନାରେ କାହା ସାହସରେ ଲୋକେ ଆଇନକୁ ହାତକୁ ନେଲେ ତାକୁ ନେଇ ମଧ୍ୟ ବଡ ପ୍ରଶ୍ନ ଠିଆ ହୋଇଛି ।