ଉତ୍ତର-ପୂର୍ବାଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : କହିଲେ, କୋଭିଡର ନୂଆ ଭାରିଆଂଟ ଉପରେ ରଖ ସତର୍କ ନଜର

84

କନକ ବ୍ୟୁରୋ : କରୋନା ସଂକ୍ରମଣ ସ୍ଥିତି ନେଇ ଉତ୍ତର-ପୂର୍ବାଂଚଳର ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ସଂକ୍ରମଣ ବଢୁଥିବା ଅଂଚଳରେ କଡା କଟକଣା ଲାଗୁ କରିବାକୁ ପଡିବ । ଏହାଛଡା ମହାମାରୀ ଭୁତାଣରୁ ନୂଆ ନୂଆ ପ୍ରଜାତି ଉପରେ ନଜର ରଖିବାକୁ ପଡିବ । ବିଶେଷଜ୍ଞମାନେ କରୋନାର ନୂଆ ଭାରିଆଂଟ ଉପରେ ଅନୁଧ୍ୟାନ କରୁଥିବାରୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ରୂପ ବଦଳାଉଥିବା ମହାମାରୀର ଉପଚାର ଓ ଏହାରକୁ ରୋକିବା ବେଶ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏଥିସହ କଟକଣା କୋହଳ ପରେ ଶୈଳନିବାସ ଓ ପର୍ଯ୍ୟଟନସ୍ଥଳୀରେ ବଢୁଥିବା ଭିଡକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ପାହାଡିଆ ରାଜ୍ୟ, ବଜାରରେ ଯେଉଁଭଳି ଭାବେ ଲୋକମାନେ ବିନା ମାସ୍କ ପିନ୍ଧି, ସାମାଜିକ ଦୂରତା ନରଖି ଭିଡ ଜମାଉଛନ୍ତି ଏହା ଏକ ଚିନ୍ତାର ବିଷୟ ବୋଲି ମୋଦି କହିଛନ୍ତି । ଭିଡିଓ କନଫେରେନ୍ସିଂରେ ଆୟୋଜିତ ଏହି ବୈଠକରେ ଆସାମ, ନାଗାଲାଣ୍ଡ, ତ୍ରିପୁରା, ମଣିପୁର, ସିକିମ, ମେଘାଳୟ, ଅରୁଣାଚଳପ୍ରଦେଶ ଓ ମିଜୋରାମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀମନେ ନିଜ ନିଜ ରାଜ୍ୟର କୋଭିଡସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କୁ ରିର୍ପୋଟ ଦେଇଛନ୍ତି ।