ରାଜଧାନୀ ପାରମ୍ପାରିକ ପିଠା ଷ୍ଟଲରେ ଜମୁଛି ଭିଡ଼: ଫାଷ୍ଟଫୁଡ଼ ଜମାନାରେ ନିଆରା ବ୍ୟବସାୟ ଆରମ୍ଭ କରିଛନ୍ତି ଯୁବ ବ୍ୟବସାୟୀ 

318

କନକ ବ୍ୟୁରୋ: ସାଧାରଣତଃ ପାରମ୍ପାରିକ ପଦ୍ଧତିରେ ପ୍ରସ୍ତୁତ ହେଉଥିବା ପିଠା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ଉପଯୋଗୀ । କିନ୍ତୁ ବର୍ତମାନ ସମୟ ପିଜା, ବରଗର, କେକ୍ ଭିତରେ ଲୁଚି ଯାଉଛି ଏହି ପାରମ୍ପାରିକ ଖାଦ୍ୟ । ବଜାର ଘାଟ ଯେଉଁଠି ଦେଖିବ କେବଳ ଫାଷ୍ଟ ଫୁଡ଼ ଷ୍ଟଲ ଦେଖିବାକୁ ମିଳିଥିଏ । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶା ଟ୍ରାଡ଼ିସନାଲ ପିଠା ନାଁରେ ଷ୍ଟଲ ଖୋଲି ବିଭିନ୍ନ ପ୍ରକାର ପିଠା ବିକ୍ରୟ କରୁଛନ୍ତି ଯୁବ ବ୍ୟବସାୟୀ ସ୍ମୃତି ସାଗର ସାମଲ ଓ ଆଶିଷ କୁମାର କାପ ।

ରାଜଧାନୀ ରାଜରାସ୍ତାରେ ଖୋଲିଛି ପିଠା ଷ୍ଟଲ । ଏହାକୁ ଖାଇବାକୁ ଜମୁଛି ଗ୍ରାହକଙ୍କ ଭିଡ଼ । ଏହି ଷ୍ଟଲରେ ମିଳୁଛି ଓଡ଼ିଆ ସଂସ୍କୃତି ସହିତ ଜଡ଼ିତ ବିଭିନ୍ନ ପ୍ରକାରର ପାରମ୍ପାରିକ ପିଠା । ବର୍ତମାନ ସମୟରେ ଫାଷ୍ଟଫୁଡ଼ ଜମାନାରେ ଏଭଳି ଏକ ନିଆରା ବ୍ୟବସାୟ ଆରମ୍ଭ କରିଛନ୍ତି ଯୁବ ବ୍ୟବସାୟୀ ସ୍ମୃତି ସାଗର ସାମଲ ଓ ଆଶିଷ କୁମାର କାପ । ପିଠା, ଜଗନ୍ନାଥ ସଂସ୍କୃତି ଓ ଉକ୍ରଳୀୟ ପରାମ୍ପାରାର ଏକ ଅଭିନ୍ନ ଅଂଶ । ଓଡ଼ିଆ ଲୋକଙ୍କ ଘରେ ଘରେ ପ୍ରାୟ ସବୁ ପର୍ବ ପର୍ବାଣିରେ ଭିନ୍ନ ଭିନ୍ନ ପ୍ରକାରର ପିଠା ତିଆରି କରାଯାଏ । ଯାହା ଏବେ ସହରମାନଙ୍କରେ ଦେଖିବାକୁ ମିଳୁନି । ପୂଜା, ପର୍ବ ଓ ବଡ଼ ବଡ଼ ଦିନ ମାନଙ୍କରେ ଲୋକେ କେକ୍ କାଟି ଖୁସିମନାଉଛନ୍ତି । କମିଯାଉଛି ଓଡ଼ିଆ ସଂସ୍କୃତିର ଝଲକ୍ । ଏସବୁ ଭିତରେ ପାରମ୍ପାରିକ ପିଠାକୁ ଲୋକଙ୍କ ପାଖରେ ପହଂଚାଇବାକୁ ଉଦ୍ୟମ କରିଛନ୍ତି ୨ ଜଣ ଯୁବ ବ୍ୟବସାୟୀ ।

ପାରମ୍ପାରିକ ପିଠାକୁ ଅଧିକ ଲୋକପ୍ରିୟ କରିବା ସହ ଅନେକ ମହିଳାଙ୍କୁ ରୋଜଗାର ଦେଉଛି ଏହି ବ୍ୟବସାୟ । ସ୍ଥାନୀୟ ଅଂଚଳର ପ୍ରାୟ ୧୫ ଜଣ ମହିଳା ପ୍ରତିଦିନ ପିଠା ପ୍ରସ୍ତୁତ କରି ବିକ୍ରୟ ପାଇଁ ପଠାଉଛନ୍ତି । ବ୍ୟବସାୟରୁ ଯାହା ଲାଭ ମିିଳିଥାଏ ସେଥିରୁ ୨୫ ପ୍ରତିଶତ ଅର୍ଥ ମହିଳା ମାନଙ୍କୁ ଦେଇଥାଆନ୍ତି ଯୁବ ବ୍ୟବସାୟୀ । ମହିଳା ମାନେ ଘର କାମ କରିବା ସହିତ କିଛି ରୋଜଗାର ମିଳୁଥିବାରୁ ସେମାନେ ଖୁସିପ୍ରକାଶ କରିଛନ୍ତି । ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ମଚାରୀ ମାନେ ଗ୍ଲୋବସ, ମାସ୍କ ଓ କ୍ୟାପ୍ ପିନ୍ଧି ପିଠା ପ୍ରସ୍ତୁତ କରୁଛନ୍ତି ।

ଯୁବ ବ୍ୟବସାୟୀଙ୍କ ଏପରି ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରସଂଶା କରୁଥିବା ବେଳେ ସଂଧ୍ୟା ହେଲେ ଷ୍ଟଲରେ ଜମୁଛି ଲୋକଙ୍କ ଭିଡ଼ । ଆଜିର ପିଜା ବରଗର ସମୟରେ ରାଜଧାନୀର ଲୋକେ ପାରମ୍ପାରିକ ପିଠା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । କିଏ ଷ୍ଟଲ ନିକଟରେ ପିଠା ଖାଇ ପ୍ରସଂଶା କରୁଛି ତ, ପୁଣି କିଏ ପ୍ୟାକ୍ କରି ଘରକୁ ନେଉଛି । ଏପରିକି ଲୋକେ ଅନଲାଇନ୍ ଏବଂ ଅଫଲାଇନ୍ ଜରିଆରେ ପିଠା ଅର୍ଡ଼ର କରୁଛନ୍ତି । ଆଗକୁ ଏହି ବ୍ୟବସାୟ ଅନ୍ୟ ଜିଲ୍ଳା ଗୁଡ଼ିକରେ ଆରମ୍ଭ କରିବାକୁ ଯୋଜାନ କରିଛନ୍ତି ବ୍ୟବସାୟୀ ।