ଆପୋଲୋରେ ଜୀବନ ସହ ଯୁଦ୍ଧ କରୁଛନ୍ତି ଅମ୍ରିତ । ‘ମିଲାପ’ ମାଧ୍ୟମରେ ଆଶାକୁ ଆୟୁଷରେ ବଦଳାଇବାକୁ ଚାଲିଛି ଉଦ୍ୟମ । ଅମ୍ରିତଙ୍କ ପାଇଁ ଆଗେଇ ଆସିବାକୁ ଅନୁରୋଧ…

1,287

କନକ ବ୍ୟୁରୋ: ଜୀବନ ବଞ୍ଚିବ, ଯମ ହାରିବ । ମୃତ୍ୟୁକୁ ମୁହଁତୋଡ ଜବାବ ଦେଇ ଜୀବନ ନେଇ ଜଲଦି ଫେରିବେ ଅମ୍ରିତ । ସେ ସୁସ୍ଥ ହେବେ, ଶୀଘ୍ର ଫେରିବେ… ଅମ୍ରିତଙ୍କ ପାଇଁ ଏଇ ଆଶା ଏବେ ସଞ୍ଚରିତ ହୋଇଛି । ଯେଉଁଥି ଲାଗି ସମସ୍ତେ ବାନ୍ଧି ଚାଲିଛନ୍ତି ସହାଯ୍ୟର ସେତୁ… ଖୋଜି ଚାଲିଛନ୍ତି ଆଶାର କିରଣ । ଆଉ ସେ ଆଶାକୁ ଆୟୁଷରେ ବଦଳାଇବାକୁ ଆଗେଇ ଆସିଛି ମିଲାପ ଫାଉଣ୍ଡେସନ । ଏହି ସାଇଟ୍ ଜରିଆରେ ଲୋକେ ଅମ୍ରିତଙ୍କ ଆରୋଗ୍ୟ ପାଇଁ ସହାୟତାର ହାତ ବଢାଉଛନ୍ତି ।

ଯେମିତି ବିନ୍ଦୁ ବିନ୍ଦୁ ମିଶିଲେ ସିନ୍ଧୁ ସୃଷ୍ଟି ହୁଏ । ସେମିତି ଅଳ୍ପ ଅଳ୍ପ ଅର୍ଥ, ଛୋଟ ଛୋଟ ସାହାଯ୍ୟ ଅମ୍ରିତଙ୍କ ପାଇଁ ଏକ ବିରାଟ ଅଭିଯାନରେ ପରିଣତ ହୋଇଛି । ଆଉ ତାଙ୍କ ଜୀବନ ବଞ୍ଚାଇବାକୁ ସମସ୍ତେ ତ ଭଗବାନଙ୍କୁ ଗୁହାରୀ କରୁଛନ୍ତି ତା ସହ ଯିଏ ଯାହା ପାରୁଛି ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରୁଛି । କିଏ ଶହେ ଟଙ୍କା ଦେଉଛି ତ କିଏ ୧୦ ହଜାର ଦେଉଛି । କିଏ ୫୦୦ ଦେଉଛି ତ କିଏ ୫୦ ହଜାର ଦେଉଛି । ଧନିଠୁ ଗରିବ ସମସ୍ତଙ୍କ ଉଦ୍ୟମ ଅମ୍ରିତଙ୍କ ବଞ୍ଚାଇବାକୁ ଚାଲିଛି । ଖାଲି ସାଙ୍ଗସାଥୀ, ସମ୍ପର୍କୀୟ କିମ୍ବା ଓଡିଶାବାସୀ ନୁହେଁ ବରଂ ଦେଶବିଦେଶରୁ ବି ତାଙ୍କ ପାଇଁ ସାହାଯ୍ୟର ସୁଅ ଛୁଟୁଛି । ଆଉ ସମସ୍ତେ କହୁଛନ୍ତି, ଅମ୍ରିତ ! ତମ ପାଇଁ ଆମେ ଅଛୁ…

ଭୁବନେଶ୍ୱର ଏମ୍ସରୁ ଚେନ୍ନାଇ ଆପୋଲୋକୁ ଗତକାଲି ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର ପରେ ସେଠାରେ ଅମ୍ରିତଙ୍କ ଚିକିତ୍ସା ଚାଲିଛି । ଯଦି ଦୁଇ ଦିନ ଭିତରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସେ ତେବେ ଲଙ୍ଗସ ଟ୍ରାନସପ୍ଲାଂଟ ପାଇଁ ଉଦ୍ୟମ କରାଯିବ । ଗୋଟିଏ ପଟେ ଅମ୍ରିତଙ୍କୁ ଭଲ କରିବାକୁ ୨ୟ ଭଗବାନ ପ୍ରାଣପ୍ରଣେ ଚେଷ୍ଟା ଚଳାଇଥିବା ବେଳେ ଅନ୍ୟପଟେ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡରେ ଲାଗିଛନ୍ତି ସହୃଦୟ ବ୍ୟକ୍ତି, ଲାଗିଛନ୍ତି ସମ୍ପର୍କୀୟ, ଲାଗିଛି ସମସ୍ତଙ୍କ ମୁହଁରେ ହସ ଫୁଟାଉଥିବା ମିଲାପ ଫାଉଣ୍ଡେସନ । ପ୍ରାୟ ୩୦ ଦିନ ଧରି ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଅମ୍ରିତଙ୍କ ଚିକିତ୍ସା ଚାଲିବାକୁ ଥିବାବେଳେ ଏଥିପାଇଁ ପ୍ରାୟ ଦେଢ କୋଟି ଟଙ୍କାର ଆବଶ୍ୟକତା ପଡିପାରେ । ଆଉ ଏଥିପାଇଁ ବଦାନ୍ୟ ବ୍ୟକ୍ତିଙ୍କୁ ସହାୟତା କରିବାକୁ ଅନୁରୋଧ କରିଛନ୍ତି ଅମ୍ରିତଙ୍କ ପରିବାର…ନିଜ ଭାଇର ଜୀବନ ବଞ୍ଚାଇବାକୁ ହାତଯୋଡି ଭିକ୍ଷା ମାଗିଛନ୍ତି ଅମ୍ରିତଙ୍କ ଭଉଣୀ ମନୀଷା । ମିଲାପ ପେଜରେ ସେ ଅନୁରୋଧ କରି କହିଛନ୍ତି…

ଦୟାକରି ଚମକ୍ରାର ଘଟାନ୍ତୁ
ଦୟାକରି ଆମକୁ ସାହାଯ୍ୟ କରନ୍ତୁ
ଦୟାକରି ତାଙ୍କ ସ୍ୱାସ୍ଥ୍ୟରେ ଟଙ୍କା ବିନିଯୋଗ କରନ୍ତୁ

ବ୍ରହ୍ମପୁରର ଏହି ୨୪ ବର୍ଷୀୟ ଯୁବକଙ୍କୁ ବଞ୍ଚାଇବାକୁ ପରିବାର ପକ୍ଷରୁ ଗୁହାରୀ କରାଯିବା ପରେ ଏବେ ମିଲାପ ମାଧ୍ୟମରେ ଆରମ୍ଭ ହୋଇଛି ଆଶାର ଅଭିଯାନ । ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଏବଂ ମାଆ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଥିବାବେଳେ ଚିକିତ୍ସା ପାଇଁ ଏତେ ଟଙ୍କା କେମିତି ଯୋଗାଡଜ ହେବ ଏଇ ନିରାଶା ଭିତରେ ପରିବାର ଲୋକେ ଥିବା ବେଳେ ଅମ୍ରିତଙ୍କ ଜୀବନ ବଞ୍ଚାଇବାକୁ ସାରା ଜଗତରୁ ଚେନ୍ନାଇ ଆପୋଲୋକୁ ବନ୍ଧା ହେଉଛି ସମ୍ପର୍କର ସେତୁ…

ତେବେ ଆପଣ ବି ଚାହିଁଲେ ଅମ୍ରିତଙ୍କ ପାଇଁ ସାହାଯ୍ୟର ହାତ ବଢାଇ ପାରିବେ ଆଉ ଆଶୁ ଆରୋଗ୍ୟର ଏ ଆଶାଭରା ଅଭିଯାନରେ ନିଜକୁ ସାମିଲ କରିପାରିବେ । ତାହାଲେ ଲେଖି ରଖୁନ୍ତୁ ଏହ ନମ୍ବର- ୯୮୬୧୨୨୪୯୪୨ । ଯେଉଁଥିଲେ ଆପଣ ଫୋନ୍ ପେ କିମ୍ବା ଗୁଗୁଲ ପେ ଜରିଆରେ ସହଯୋଗ କରିପାରିବେ । ଆସନ୍ତୁ ଅମ୍ରିତଙ୍କ ପାଇଁ ଏହି ଅଭିଯାନରେ ନିଜକୁ ସାମିଲ କରିବା…