ବିଜେଡି ନେତାଙ୍କ ଛାତି ଧଡ଼ଧଡ଼: ଅବଶିଷ୍ଟ ଆସନ ପାଇଁ ଆଶାୟୀଙ୍କ ଭିଡ଼ । କାହାକୁ ମିଳିବ, କାହାର କଟିବ ଟିକେଟ?

258

କନକ ବ୍ୟୁରୋ: ବୁଧବାରଦିନ ବିଜେଡି ୭୨ ବିଧାୟକ ପ୍ରାର୍ଥୀ ଓ ୧୫ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଅନେକ ଚର୍ଚ୍ଚିତ ଆସନରେ ନାଁ ଘୋଷଣା ହୋଇନାହିଁ । ଯେକୌଣସି ମୁହୂର୍ତରେ ବାକି ୭୫ ବିଧାନସଭା ଆସନ ଗୁଡ଼ିକ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ଏଥିପାଇଁ ଅନେକ ନେତାଙ୍କର ଏବେଠାରୁ ଛାତି ଧଡ଼ଧଡ଼ ହେଲାଣି । କାହାର ଟିକେଟ୍ କଟିବ, କିଏ ବାଦ୍ ପଡ଼ିବ, ତାକୁ ନେଇ ନେତା ଦ୍ୱନ୍ଦ୍ୱରେ । ଘୋଷଣା ହୋଇନଥିବା ଆସନରେ ଆଶାୟୀ ଆଜି ନବୀନ ନିବାସକୁ ଆସିଛନ୍ତି । ଏହାଛଡା ଟିକେଟ୍ ପାଇବା ପରେ ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସାଂସଦ ଓ ବିଧାୟକ ପ୍ରାର୍ଥୀ ନବୀନ ନିବାସ ପଂହଚିଛନ୍ତି ।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଏବେ ଯେକୌଣସି ମୁହୁର୍ତରେ ଘୋଷଣା ହୋଇପାରେ ବିଜେଡିର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଘୋଷଣା ହେବାକୁ ଥିବା ଅବଶିଷ୍ଟ ୭୫ ବିଧାନସଭା ଏବଂ ୬ଟି ଲୋକସଭା ଆସନ ପାଇଁ ଏବେ ଅନେକ ବିଜେଡି ନେତାଙ୍କ ଛାତି ଧଡ଼ଧଡ଼ । କାହାକୁ ମିଳିବ ଟିକେଟ୍? ଏବଂ କିଏ ବାଦ୍ ପଡ଼ିବେ ତାକୁ ନେଇ ନେତା ଦ୍ୱନ୍ଦ୍ୱରେ । ଏହି ଦ୍ୱନ୍ଦ୍ୱ ଭିତରେ ନବୀନ ନିବାସ ପହଂଚିଛନ୍ତି ଟିକେଟ ଆଶାୟୀ । ଦ୍ୱିତୀୟ ପର୍ଯ୍ୟାୟରେ ବଡ଼ ବଡ଼ ନେତା ଏବଂ ବହୁ ଚର୍ଚ୍ଚିତ ଆସନ ପାଇଁ ଟିକେଟ୍ ଘୋଷଣା ହେବାକୁ ରହିଛି । ଏଭଳି ସ୍ଥିତିରେ ବଡ଼ଚଣା ବିଧାୟକ ଅମର ଶତପଥୀ, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ସମେତ ଅନେକ ପରିଚିତ ନେତା ନବୀନ ନିବାସକୁ ଆସିଥିଲେ ।

ନବୀନ ନିବାସରେ କେବଳ ଯେ, ଟିକେଟ ଆଶୟୀ ନେତାଙ୍କ ଭିଡ଼ ଥିଲା ତାହା ନୁହେଁ, ବରଂ ଟିକେଟ୍ ପାଇବା ପରେ ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପହଂଚିଥିଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ । ଆଉ ଏହି ଧନ୍ୟବାଦ ଅର୍ପଣ ପର୍ବ ସମୟରେ ସାମ୍ନାକୁ ଆସିଛି ବିଜେଡି ଟିକେଟ୍ କସରତର କିଛି ଚିତ୍ର । ଯେଉଁମାନଙ୍କୁ ବିଜେଡି ଦଳୀୟ ଟିକେଟ ଦିଆଯାଉଛି । ସେମାନଙ୍କ ପ୍ରୋଫାଇଲ୍କୁ କେମିତି ଅନୁଧ୍ୟାନ କରାଯାଉଛି । ସାମ୍ନାରେ ରଖାଯାଇଥିବା ଫାଇଲ୍ ହିଁ ବୟାନ କରୁଛି । ନେତାଙ୍କ କାମର ଫାଇଲ୍ ଏବଂ ସଂଗଠନ ପାଇଁ କରିଥିବା କାମର ଲେଖା ଜୋଖା ପରେ ପ୍ରଥମ ପର୍ଯ୍ୟାୟ ପାଇଁ ଟିକେଟ୍ ଚୁଡ଼ାନ୍ତ ହୋଇଥିଲା । ଆଉ ଯେଉଁମାନେ ୨୦୨୪ ଲଢ଼େଇ ପାଇଁ ଟିକେଟ୍ ପାଇଛନ୍ତି, ସେମାନେ ଧନ୍ୟବାଦ ଦେବା ପାଇଁ ନବୀନ ନିବାସରେ ପହଂଚିଛନ୍ତି । ଟିକେଟ ପାଇଥିବା ପ୍ରାର୍ଥୀ ଏବେ ଗ୍ରାଉଣ୍ଡ ଜିରୋକୁ ଯାଇ ୨୪ ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଟିକେଟ ଆଶାୟୀ ଥିବା ନେତା ଏବେ ଦ୍ୱିତୀୟ ପର୍ଯ୍ୟାୟ ଘୋଷଣାକୁ ଅପେକ୍ଷା କରିଛନ୍ତି ।