ସରକାରୀ ସହାୟତା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ସାମ୍ନାରେ ଭିଡ଼ । ବ୍ୟାଙ୍କ ଖୋଲିବା ୫ ଘଣ୍ଟା ପୂର୍ବରୁ ଦେଖିବାକୁ ମିଳୁଛି ଲମ୍ବା ଲାଇନ୍, ସାମାଜିକ ଦୂରତା ତ ଦୂରର କଥା କଟକଣାକୁ ବି ଫୁ…

918

କନକ ବ୍ୟୁରୋ: ସରକାରଙ୍କ ସହାୟତା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଏବେ ଦେଖିବାକୁ ମିଳୁଛି ଲୋକଙ୍କ ଲମ୍ବା ଲାଇନ । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ବଡ଼ି ଭୋରରୁ ଆସି ବ୍ୟାଙ୍କ ସମୁଖରେ ଲାଇନ ଳଗାଉଛନ୍ତି । କେଉଁଠି ସାମାଜିକ ଦୂରତା ମାନୁଛନ୍ତିି ତ କେଉଁଠି ଲୋକ ମାନୁନାହାନ୍ତି କଟକଣା । ସେପଟେ ଗଂଜାମ ଜିଲ୍ଲାରେ ସରକାରୀ ସହାୟତାର ବାଟମାରଣା ହେଉଥିବା ଅଭିଯୋଗ କରିଛନ୍ତି କିଛି ହିତାଧିକାରୀ ।

ସରକାରୀ ସହାୟତା ଟଙ୍କା ଉଠାଣ ପାଇଁ ଲୋକଙ୍କ ଅପେକ୍ଷା । ବ୍ୟାଙ୍କ ଖୋଲିବ ଦିନ ୧୦ଟାରେ ହେଲେ ଭୋର ୫ଟାରୁ ଜଗି ରହିଛନ୍ତି ଲୋକେ । ବ୍ୟାଙ୍କ ସାମ୍ନାରେ ସାମାଜିକ ଦୂରତା ରକ୍ଷା ପାଇଁ ହୋଇଥିବା ଗୋଲେଇରେ ଲୋକେ ବସି ରହିଛନ୍ତି । ଏଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ବ୍ୟାଙ୍କ ଆଗରେ ଦେଖିବାକୁ ମିଳିଛି । ସରକାରଙ୍କ ସହାୟତା ଅର୍ଥ ଉଠାଇବାକୁ ସବୁ ବ୍ୟାଙ୍କରେ ଭିଡ଼ ଜମୁଥିବାରୁ ଲୋକେ ପାହାନ୍ତିଆରୁ ଆସି ବ୍ୟାଙ୍କ ଖୋଲିବାକୁ ଜଗି ବସିଛନ୍ତି ।

ସେପଟେ ଗଂଜାମ ଜିଲ୍ଲା ପାତ୍ରପଡା ବ୍ଲକରୁ ସରକାରୀ ସହାୟତାର ବାଟମାରଣା ଅଭିଯୋଗ ଆସିଛି । ରାସନକାର୍ଡ ଧାରୀଙ୍କୁ ଏକ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ସରକାର । ହେଲେ ପୋଲସରାରେ ରାସନକାର୍ଡଧାରୀଙ୍କୁ ହଜାରେ ବଦଳରେ ଦିଆଯାଉଛି ୯ଶହ ଟଙ୍କା । ରାସନ କାର୍ଡ ଖାତାରେ ହଜାରେ ଟଙ୍କା ଲେଖି ବଂଟନ ଦାୟିତ୍ୱରେ ଥିବା କର୍ମଚାରୀ ହିତାଧିକାରୀଙ୍କୁ ୯ ଶହ ଟଙ୍କା ଧରେଇ ଦେଉଛନ୍ତି ।

ଗଂଜାମ ଜିଲ୍ଲାରେ ସହାୟତା ଟଙ୍କା ହେରଫେର ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ସଜାଗ ହୋଇଛି ପ୍ରଶାସନ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଂଜାମ ଜିଲ୍ଲାପାଳଙ୍କୁ ଟ୍ୱିଟ୍ କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ।