ତାଲିବାନି ଶାସନରେ ହନ୍ତସନ୍ତ ମହିଳା: ବୁର୍ଖା ଦୋକାନରେ ପ୍ରବଳ ଭିଡ, ୧୦ ଗୁଣା ବଢିଲା ଦାମ୍

309

କନକ ବ୍ୟୁରୋ: ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ସବୁଠୁ ଦୁର୍ଦ୍ଦଶା ଭୋଗୁଛନ୍ତି ଏଠିକାର ମହିଳା । ଆଶଙ୍କା କରାଯାଉଛି ମହିଳାମାନେ ତାଲିବାନର ତଥାକଥିତ ଇସଲାମିକ୍ ନିୟମରେ ନିର୍ଯାତନାର ଶିକାର ହେବେ । ସେମାନଙ୍କ ସ୍ୱାଧୀନତା ଲୋପପାଇବ । ଏହି ନିୟମ ଅନୁସାରେ ମହିଳାଙ୍କ ପାଇଁ ଲାଗୁହେବ କଡା ନିୟମ । ତାଲିବାନ ଆସୁଆସୁ ବୁର୍ଖାର ବେପାର ଅବିଶ୍ୱସନୀୟ ଭାବେ ବଢିଯାଇଛି । ବୁର୍ଖା ଦେକାନ ଆଗରେ ମହିଳାମାନଙ୍କର ନାହିଁନଥିବା ଭିଡ ହେଉଛି । ଏହାର ଦାମ ମଧ୍ୟ ୧୦ ଗୁଣା ବଢିଯାଇଛି । ଫଳରେ ବୁର୍ଖାର କଳାବଜାରୀ ବଢିଯାଇଛି । ଯିଏ ଘରେ ବୁର୍ଖା କିଣି ପାରିବନି ସେମାନେ ଘରେ ଥିବା ବଡ କପଡା କିମ୍ବା ବେଡସିଟରେ ନିଜ ଦେହକୁ ଢାଙ୍କିବାକୁ ବ୍ୟବସ୍ଥା କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି ।

ହେଲେ ତାଲିବାନର ଜଣେ ମୁଖପାତ୍ର କହିଛନ୍ତି ଯେ ବୁର୍ଖା ବାଧ୍ୟତାମୂଳକ ନୁହେଁ । ହିଜାବ ପିନ୍ଧିଲେ ବି ଚଳିବ । ହିଜାବ ହେଉଛି ଏକ ପ୍ରକାର ସ୍କାର୍ଫ ଯେଉଁଥିରେ କେଳ ମୁଣ୍ଡ ଢାଙ୍କିହେବ । ହେଲେ ତାଲିବାନର ଏପରି କଥାକୁ ବିଶ୍ୱାସ କରିପାରୁନାହାଁନ୍ତି ଆଫଗାନି ମହିଳା ।

୨୦୦୧ ପୂର୍ବରୁ ତାଲିବାନ୍ ମହିଳାଙ୍କ ପାଇଁ ବୁର୍ଖା ବାଧ୍ୟତାମୂଳକ କରିଥିଲା । ଏହି ନିୟମ ଭାଙ୍ଗିଲେ ତାଙ୍କୁ କଠୋର ଶାସ୍ତି ମଧ୍ୟ ମିଳୁଥିଲା । ତାଲିବାନର କହିବା ଓ କରିବା ଭିତରେ ଫରକ ଥିବାରୁ ଭୟରୁ ମୁକୁଳିପାରୁନାହାଁନ୍ତି ଏଠିକାର ମହିଳା ।