କନକ ବ୍ୟୁରୋ: ଆରମ୍ଭ ହେଲା ପଂଚୁକ । ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି । ନୀତିକାନ୍ତି ଶୃଙ୍ଖଳିତ ରହିଥିବା ବେଳେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷକରି ଭକ୍ତ କିପରି ସୁରକ୍ଷିତ ଓ ସୁବିଧାରେ କାଳିଆ ସାଆନ୍ତଙ୍କ ଦର୍ଶନ କରିପାରିବେ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ପଂଚୁକ ପାଇଁ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଭିଡ଼ ଜମିଛି ।

Advertisment

କାହିଁ କେତେଦୂରରୁ ଧାଇଁ ଆସିଛନ୍ତି ଭକ୍ତ । କାଳିଆର ମୁହଁ ଦେଖିବେ, ତା ଅବଢ଼ା ଟିକେ ଖାଇବେ, ଜନ୍ମ ଜନ୍ମାନ୍ତର ପାପ ଧୋଇ ପୁଣ୍ୟ ଅର୍ଜନ କରିବେ । ଶ୍ରୀକ୍ଷେତ୍ରରେ ଏବେ ଭକ୍ତଙ୍କ ଗହଳି । ଆରମ୍ଭ ହୋଇଯାଇଛି ପଂଚୁକ ପର୍ବ । ପଂଚୁକ ବ୍ରତର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ନୀତିକାନ୍ତି ପରେ ମହାପ୍ରଭୁଙ୍କ ଶୃଂଗାର କରାଯାଇଥିଲା, ଆଉ ଭକ୍ତ ଏହି ରୂପକୁ ଦେଖି ନିଜକୁ ଧନ୍ୟ ଧନ୍ୟ କହିଛି । ଭକ୍ତ ଭାବ ବିହ୍ୱଳ ହୋଇପଡ଼ିଛି, ଆଉ ଉପରକୁ ହାତ ଟେକି କହୁଛି ପ୍ରଭୁ ଧନ୍ୟ ହେଲିି ।

ଆଜିର ନୀତିକାନ୍ତି ଶୃଙ୍ଖଳିତ ରହିଥିବା ବେଳେ ପ୍ରବଳ ଭକ୍ତଙ୍କ ଗହଳିକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷକରି ଭକ୍ତ କିପରି ସୁରକ୍ଷିତ ଓ ସୁବିଧାରେ କାଳିଆ ସାଆନ୍ତଙ୍କ ଦର୍ଶନ କରିପାରିବେ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ବାଇଓ ଟଏଳଟ, ବ୍ୟାରିକେଡରେ ବିଶୁଦ୍ଧ ପିଇବା ପାଣି, ପାଦ ନତାତିବା ପାଇଁ କାର୍ପେଟର ବ୍ୟବସ୍ଥା । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ହେଲପ ଡେସ୍କ ଓ ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଛି । ଗହଳି ନିୟନ୍ତ୍ରଣ ପାଇଁ ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ସମ୍ପ୍ରସାରଣ କରାଯାଇଛି । ସ୍ୱେଛାସେବୀ ନିୟୋଜିତ ହୋଇଛନ୍ତି । ପୁରୀ ଜିଲ୍ଲାପାଳ ଓ ଏସପି ନିଜେ ବ୍ୟାରିକେଡ୍ ନିକଟରେ ରହି ତଦାରଖ ମଧ୍ୟ କରିଛନ୍ତି । ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ସମୁଦ୍ର ବେଳାଭୂମିରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ପଂଚୁକ ବ୍ରତକୁ ଭୀଷ୍ମ ପଂଚୁକ ବା ବଗ ପଂଚୁକ ବୋଲି ମଧ୍ୟ କୁହାଯାଏ । ପୂର୍ଣ୍ଣିମା ଯାଏଁ ନୂଆ ନୂଆ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ପୂର୍ଣ୍ଣିମା କାଳିଆର ରାଜରଜେଶ୍ୱରୀ ବେଶ ବା ସୁନାବେଶ ହେବ । ସେପଟେ ବଂଚୁକ ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମିଛି । ରାଇ ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ ଲିଙ୍ଗରାଜ । ହବିଷ୍ୟାଳିଙ୍କ ଭିଡ଼ ମଧ୍ୟ ଲାଗିଛି ।