ପାଣ୍ଡିଆନଙ୍କ ପାଇଁ ନବୀନ ନିବାସରେ ଭିଡ଼: ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ କର୍ମଚାରୀ ସଂଘର କର୍ମକର୍ତା

151

କନକ ବ୍ୟୁରୋ: ନବୀନ ନିବାସରେ ନବନିଯୁକ୍ତ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତା । ସେପଟେ ଭିକେ ପାଣ୍ଡିଆନଙ୍କୁ ଭେଟିବା ଓ ଶୁଭେଚ୍ଛା ଜଣାଇବା ଘଟଣାକୁ ନେଇ ବୟାନବାଜି ତେଜିଛି ।

ନବୀନ ନିବାସରେ ଦେଖିବାକୁ ମିଳିଥିଲା ଗହଳି । ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତାମାନେ ନବୀନ ନିବାସରେ ଭିଡ ଜମାଇଥିଲେ । ନୂଆ ନିଯୁକ୍ତି ପାଇଥିବା ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଶୁଭେଛା ଜଣାଇଥିଲେ । ସୂଚନା ଅନୁସାରେ ପୋଲିସ ସଂଘ, ଆଉଟସୋର୍ସିଂ ସଂଘ ଓ ସଚିବାଳୟ ସେବା ସଂଘର କର୍ମକର୍ତାଙ୍କ ସମେତ ପ୍ରାୟ ୧୪ଟି ସଂଘର ସଦସ୍ୟ ପାଣ୍ଡିଆନଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି ।

ଗୋଟିଏ ପଟେ ଭି.କେ. ପାଣ୍ଡିଆନଙ୍କୁ ବିଭିନ୍ନ ସରକାରୀ କର୍ମଚାରୀ ସଂଘର ସଦସ୍ୟମାନେ ଶୁଭେଛା ଜଣାଉଥିବାବେଳେ ଅନ୍ୟପଟେ ତେରେଛା ବାଣ ମାରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହା ସଫ୍ଟ ଲ୍ୟାଣ୍ଡିଂ ଇନ୍ ପଲିଟିକ୍ସ କହି କଟାକ୍ଷ କରିଛନ୍ତି । ସେହିପରି କଂଗ୍ରେସ ସଭାମଂଚରୁ ସମାଲୋଚନା କରିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲା କୁମାରଙ୍କ ସମେତ ଦଳର ବରିଷ୍ଠ ନେତା । ଜବାବ ରଖିଛନ୍ତି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ।

ଭି.କେ.ପାଣ୍ଡିଆନଙ୍କୁ ନେଇ ରାଜନୈତିକ ମହଲଠାରୁ ଆରମ୍ଭ କରି ଗଣମାଧ୍ୟମରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ହେଲେ, ସେ ରାଜନୀତିରେ ଯୋଗ ଦେବେ କି ନାହିଁ? ତାଙ୍କର ପରବର୍ତି ପଦକ୍ଷେପ କଣ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।