ଗୋରୀ ପାଲଟିଛି ଭିତରକନିକାର ରାଣୀ ! ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ, ୪୩ ବର୍ଷ ଧରି ଅଭୟାରଣ୍ୟରେ ଅଛି ଧଳା କୁମ୍ଭୀର ।

30

କନକ ବ୍ୟୁରୋ : ଖୋଲିଛି ଭିତରକନିକା ଅଭୟାରଣ୍ୟ । ଆଉ ଏହାର ମନଲୋଭା ପରିବେଶକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ଭିଡ ଲାଗିଛି । ଭିତରକନିକାର ରାଣୀ କୁହାଯାଉଥିବା ଗୋରୀ ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । ଭିତରକନିକାରେ ପରିବେଶ ପ୍ରେମୀ ଓ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉଛି ଗୋରୀ । ୧୯୭୫ ମସିହାରେ ଡାଙ୍ଗମାଳରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏଠାରେ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ କୁତ୍ରିମ ଉପାୟରେ ଛୁଆ ପ୍ରଜନନ କରାଯାଇଥିଲା । ଏଥିରୁ ଦୁଇଟି ମାଈ ଶାବକ ବାହାରିଥିଲେ । ଏଥିମଧ୍ୟରୁ ଶଙ୍ଖ ଭଳି ଧଳା ମଲମଲ ଛୁଆଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଏହି ଛୁଆର ରୂପକୁ ଦେଖି ତାର ନାଁ ରଖାଯାଇଥିଲା ଗୋରୀ । ଆଉ ଗୋରୀ ଏବେ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ଗୋରୀ ବନକର୍ମଚାରୀ ଯଶୋବନ୍ତ ବେହେରାଙ୍କୁ ବେଶ ମାନେ । ଆଉ ଯଶୋବନ୍ତଙ୍କ ଡାକ ଶୁଣିଲେ କଙ୍କଡା ଖାଇବାକୁ ପୋଖରୀରୁ ବାହାରିଆସେ । ଆଉ ପାଖରେ ଗୋରୀକୁ ପାଇଁ ଆତ୍ମହରା ହେଉଛନ୍ତି ପର୍ଯ୍ୟଟକ । ଭାରତର ଅନ୍ୟ କୌଣସି ସ୍ଥାନରେ ଧଳା କୁମ୍ଭୀର ଦେଖିବାକୁ ମିଳିନଥିବା ବେଳେ ଭିତରକନିକାରେ ଏଭଳି ପ୍ରଜାତିର କୁମ୍ଭୀର ରହିଛି । ଦୀର୍ଘ ୪୩ ବର୍ଷ ଧରି ଗୋରୀ ଏଠାରେ ରହୁଛି । ଆଉ ଏହି ଗୋରୀ ମା ହେବାର ସୌଭାଗ୍ୟ ପାଇପାରୁନାହିଁ ।