କ୍ରସଭୋଟିଂ ବିଗାଡିଲା ଗଣିତ। ଧର୍ମଗୁଳାରେ ଜିତିଲେ ବିଜେଡି ପ୍ରାର୍ଥୀ

832

କନକ ବ୍ୟୁରୋ: ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ନିର୍ଦ୍ଦେଶକ ପଦବୀ ପାଇଁ କୋରାପୁଟ ଜୋନରେ ହୋଇଥିବା ନିର୍ବାଚନ ବେଶ ରୋମାଞ୍ଚକର ହୋଇଛି । କଡା ଟକ୍କରର ସମ୍ମୁଖୀନ ହୋଇ ଧର୍ମଗୁଳାରେ ଜିତିଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ । ସଂଖ୍ୟା ଗଣିତରେ ବିଜେଡି ସମର୍ଥିତ ପ୍ରାର୍ଥୀ ଆଗରେ ଥିଲେ ବି କ୍ରସ ଭୋଟିଂ ସବୁ ବିଗାଡି ଦେଇଥିଲା ମଇଦାନରେ ଥିଲେ ବିଜେଡି ସମର୍ଥିତ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଢୃକାଙ୍କ ସମେତ ୩ ପ୍ରାର୍ଥୀ । ତେବେ ଭୋଟ ଟାଇ ହେବାରୁ ଧର୍ମଗୁଳାର ସହାୟତା ନିଆଯାଇଥିଲା ।

କୋରପୁଟ ନିର୍ଦ୍ଦେଶକ ପଦବୀ ପାଇଁ ମୈଦାନରେ ଥିଲେ ୩ ଜଣ । ତେବେ ମୁଖ୍ୟ ମୁକାବିଲା ବିଜେଡି ସମର୍ଥିତ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଢୃକା ଓ ବିଜେପି ସମର୍ଥିତ ପ୍ରାର୍ଥୀ ରାମ ମୁଦୁଲିଙ୍କ ମଧ୍ୟରେ ଥିଲା । ଜଗନ୍ନାଥ ନୁଣ୍ଢୃକା ଓ ରାମ ମୁଦୁଲି ୧୧ଟି ଲେଖାଁଏ ଭୋଟ ପାଇଥିଲେ । ତୃତୀୟ ପ୍ରାର୍ଥୀଙ୍କୁ ୮ ଖଣ୍ଡ ଭୋଟ ମିଳିଥିଲା । ମନୋନୀତ ଭୋଟରଙ୍କ ମଧ୍ୟରୁ ଅଧିକାଂଶ ବିଜେଡି ସମର୍ଥକ ଥିବାରୁ କେଉଁମାନେ କ୍ରସ ଭୋଟିଂ କଲେ ତାହା ସ୍ପଷ୍ଟ ହୋଇନାହିଁ ।

କୋରାପୁଟ ଅର୍ବାନ ବ୍ୟାଙ୍କ ଓ କୋରାପୁଟ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ୩୦ଜଣ ନିର୍ଦ୍ଦେଶକ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ରାଜ୍ୟ ସମବାୟ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ କିଛ ନିର୍ଦ୍ଦେଶକ ପ୍ରତ୍ୟାଖ୍ୟାନ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅନ୍ତର୍ଘାତୀ କାମ ପଛରେ କିଏ ତାକୁ ନେଇ ଦଳୀୟ ସ୍ତରରେ ଆଲୋଚନା ଚାଲିଛି ।