ତୀବ୍ର ଅବପାତରେ ପରିଣତ ହେଲା ଅବପାତ : ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା

ଆଜି ସକାଳ ସୁଦ୍ଧା ଚାନ୍ଦବାଲି ଅତିକ୍ରମ କରିବ ଡ଼ିପ୍ରେସନ, ୭ ଜିଲ୍ଳାକୁ ରେଡ଼ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ; ପୁରୀରେ ସର୍ବାଧିକ ବର୍ଷା

524

କନକ ବ୍ୟୁରୋ : ତୀବ୍ର ଅବପାତରେ ପରିଣତ ହେଲା ଅବପାତ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ୬ ଘଂଟା ହେବ ୫ କିଲୋମିଟର ବେଗରେ ଗତି କରୁଛି ଅବପାତ । ଏହା ଚାନ୍ଦବାଲିଠାରୁ ୬୦ କିଲୋମିଟର ଓ ପାରାଦୀପଠାରୁ ୪୦ କିଲୋମିଟର ଦୂରରେ ରହିଛି । ଆଜି ସକାଳ ସୁଦ୍ଧା ଅବପାତ ଚାନ୍ଦବାଲି ଅତିକ୍ରମଣ କରିବ । ଏହା ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରି ଉତର ଓଡ଼ିଶା ଅତିକ୍ରମ କରିବ । ୪୮ ଘଂଟା ମଧ୍ୟରେ ଉତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଅବପାତ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଜିଲ୍ଲାପାଳମାନଙ୍କୁ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲିବା ସହ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଉପକୂଳ ଓଡ଼ିଶାରେ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବାକୁ ଥିବାରୁ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି ।

ଲଘୁଚାପ ପ୍ରଭାବରେ ୨୪ ଘଂଟାରେ ପୁରୀରେ ସର୍ବାଧିକ ୩୨୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ଦିନ ତମାମ ବର୍ଷା ଜାରି ରହିବ । ପୁରୀ, ଖୋର୍ଦ୍ଧା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ନୟାଗଡ଼କୁ ରେଡ଼ ୱାର୍ଣ୍ଣିଂ ଜାରି । ସେପ୍ଟେମ୍ବର ମାସରେ ରେକର୍ଡ଼ ଭାଙ୍ଗିଲା ଭୁବନେଶ୍ୱର ବର୍ଷା । ରାତି ତମାମ ବର୍ଷା ଜାରି ରହିଛି । ୧୯୫୮ ସେପ୍ଟମ୍ବର ୯ରେ ୨୪ ଘଂଟାରେ ଭୁବନେଶ୍ୱରରେ ୧୬୩ ମିମି ବର୍ଷା ରେକର୍ଡ଼ ହୋଇଥିଲା । ସର୍ବକାଳିନ ରେକର୍ଡ଼ ୧୬୩ ମିମିରହିଥିଲା । ଆଜି ୨୪ ଘଂଟାରେ ଭୁବନେଶ୍ୱରରେ ୧୯୩ ମିିମି ବର୍ଷା ରେକର୍ଡ଼ ହୋଇଛି । ୧ ସେପ୍ଟମ୍ବର ୨୦୧୪ରେ ୨୪ ଘଂଟାରେ ୧୧୬ ମିମି ବର୍ଷା ରେକର୍ଡ଼ ହୋଇଥିଲା । ୨୫ ସେପ୍ଟମ୍ବର ୨୦୧୯ରେ ୨୪ ଘଂଟାରେ ୧୨୬ ମିମି ବର୍ଷା ରେକର୍ଡ଼ ହୋଇଥିଲା