କନକ ବ୍ୟୁରୋ: ମଙ୍ଗଳବାର ରାଜ୍ୟସଭାର ୧୫ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବ୍ୟାପକ କ୍ରସ ଭୋଟିଂ ହୋଇଥିବା ଜଣାପଡିଛି । ଏହି କ୍ରସଭୋଟିଂ କାରଣରୁ ୩ଟି ଯାକ ରାଜ୍ୟରେ ବିଜେପିକୁ ଫାଇଦା ମିଳିଥିବା ବେଳେ କ୍ଷତି ସହିଛନ୍ତି କଂଗ୍ରେସ ଓ ସମାଜବାଦୀ ପାର୍ଟି । ହିମାଚଳ ପ୍ରଦେଶ କଂଗ୍ରେସ ସରକାରର ୬ଜଣ ବିଧାୟକ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ବେଳେ ଉତ୍ତର ପ୍ରଦେଶରେ ମଧ୍ୟ ସମାଜବାଦୀ ପାର୍ଟିର ୭ଜଣ ବିଧାୟକ ବିଜେପି ସପକ୍ଷରେ ଭୋଟ ଦେଇଛନ୍ତି । ଫଳରେ ଦୁଇଟି ଆସନରେ ଅପ୍ରତ୍ୟାଶିତ ଭାବେ ବିଜୟ ହାସଲ କରିଛି ବିଜେପି ।

ସେପଟେ କର୍ଣ୍ଣାଟକରେ ବିଜେପିର ଜଣେ ବିଧାୟକ କ୍ରସ ଭୋଟିଂ କରିଥିଲେ ମଧ୍ୟ ଏହା ବିଶେଷ ପ୍ରଭାବ ପକାଇନାହିଁ, ରାଜ୍ୟରେ ୩ଟି ଆସନରେ କଂଗ୍ରେସ ଓ ଗୋଟିଏ ଆସନରେ ବିଜେପିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ଉତ୍ତରପ୍ରଦେଶରେ ବିଜେପିର ୮ଜଣ ଓ ସମାଜବାଦୀ ପାର୍ଟିର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ହିମାଚଳ ପ୍ରଦେଶରେ କ୍ରସଭୋଟିଂ ଯୋଗୁ କଂଗ୍ରେସ ଓ ବିଜେପିର ସମାନ ଭୋଟ ହୋଇଥିବା ବେଳେ ଟସରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି । କ୍ରସ ଭୋଟିଂ ଯୋଗୁଁ ବିଜେପି ବେଶ ଲାଭବାନ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ହିମାଚଳ ପ୍ରଦେଶରେ କଂଗ୍ରେସକୁ ଝଟକା ଲାଗିଛି ।

ଅଖିଳେଶ ଯାଦବ କ୍ରସ ଭୋଟିଂ କରିଥିବା ବିଧାୟକ ମାନଙ୍କ ଉପରେ ଆକ୍ସନ ନେବାକୁ ଚେତାବନୀ ଦେଇଛନ୍ତି । ସେପଟେ ହିମାଚଳ ପ୍ରଦେଶରେ ୬ଜଣ ବିଧାୟକ ବିଜେପି ସପକ୍ଷରେ ଭୋଟ ଦେଇଥିବା ବେଳେ ସୁଖବିନ୍ଦର ସିଂ ସୁଖୁଙ୍କ ସରକାରଙ୍କ ସରକାର ପ୍ରତି ବିପଦ ଦେଖାଦେଇଛି । ସୁଖବିନ୍ଦର ସିଂ ସୁଖୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଅନ୍ତୁ ବୋଲି ବିଜେପି ଦାବି କରିଥିବା ବେଳେ ସରକାର ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଥିବା ହିମାଚଳ ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଛନ୍ତି ।