ହଲଚଲ ହିମାଚଳ ରାଜନୀତି: ମହଙ୍ଗା ପଡ଼ିଲା ବିଜେପି ପ୍ରାର୍ଥୀକୁ କ୍ରସ ଭୋଟିଂ, ଅଯୋଗ୍ୟ ଘୋଷିତ କଂଗ୍ରେସର ୬ ବିଧାୟକ

61

କନକ ବ୍ୟୁରୋ: ଦଳୀୟ ନିଷ୍ପତି ବିରୋଧରେ ଯାଇ କ୍ରସ ଭୋଟିଂ କରିବା ପରେ ହିମାଚଳ ପ୍ରଦେଶ ବାଚସ୍ପତି କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । କଂଗ୍ରେସରୁ ଅଭିଷେକ ମନୁ ସିଂହ ଭି ଏବଂ ବିଜେପିରୁ ହର୍ଷ ମହାଜନ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସ ସମର୍ଥନରେ ଅଧିକାଂଶ ବିଧାୟକ ମଧ୍ୟ ଥିଲେ । କିନ୍ତୁ ଦଳର ୬ ବିଧାୟକ କ୍ରସ ଭୋଟିଂ କରିବା ପରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପରେ ସୁଖୁ ସରକାରର ସଂସଦୀୟ ବ୍ୟାପାର ମନ୍ତ୍ରୀ ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ । ବାଚସ୍ପତି କୁଲଦୀପ ପଠାନିଆ ଆବେଦନର ବିଚାର କରି ୬ ବିଧାୟକଙ୍କୁ ଦଳ ବଦଳ ବିରୋଧୀ ଆଇନ ଜରିଆରେ ଅଯୋଗ୍ୟ ଘୋଷଣା କରିଛନ୍ତି ।

ବିଧାନସଭାରେ କମିଲା କଂଗ୍ରେସର ବିଧାୟକ ସଂଖ୍ୟା
ବିଜେପି ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରେ କମିଲା ବ୍ୟବଧାନ

ରାଜ୍ୟସଭା ଭୋଟିଂ ବେଳେ କଂଗ୍ରେସର ୬ ବିଧାୟକ କ୍ରସ ଭୋଟିଂ କରିବା ପରେ ବିଜେପି ଏହି ବିଧାୟକଙ୍କୁ ସାବାସି ଦେଇଥିଲା । ଦଳ ବିରୋଧରେ ଥିବା ଅସନ୍ତୋଷ ଭୋଟିଂରେ ପ୍ରତିଫଳିତ ହୋଇଛି ବୋଲି ବିଜେପି କହିଥିଲା । ୬୨ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ପାଖରେ ୪୦ ବିଧାୟକ ଏବଂ ବିଜେପିର ୨୫ ବିଧାୟକ ଥିଲେ । କଂଗ୍ରେସ ସରକାରକୁ ୩ ସ୍ୱାଧୀନ ବିଧାୟକ ସମର୍ଥନ ଦେଇଥିଲେ । କିନ୍ତୁ ରାଜ୍ୟସଭା ମତଦାନ ବେଳେ ଏହି ତିନି ବିଧାୟକ ଏବଂ କଂଗ୍ରେସର ୬ ବିଧାୟକ ବିଜେପି ପ୍ରାର୍ଥୀକୁ ସମର୍ଥନ ଦେଇଛନ୍ତି । ଏବେ କଂଗ୍ରେସର ୬ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ କଂଗ୍ରେସର ବିଧାୟକ ସଂଖ୍ୟା ୩୪କୁ ଖସିଛି । ଆଉ ଗୃହରେ ଆସନ ସଂଖ୍ୟା ୬୨ ରହିଛି ।

କ୍ରସ ଭୋଟିଂ ପରେ ହିମାଚଳରେ କଂଗ୍ରେସ ସରକାରର ପତନ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କଂଗ୍ରେସ ପର୍ଯ୍ୟବେକ୍ଷକ ଭାବେ ଡିକେ ଶିବକୁମାର ଭୂପେନ୍ଦ୍ର ସିଂହ ହୁଡାଙ୍କୁ ନିୟୋଜିତ କରି ସରକାର ଭାଂଗିବା ସମ୍ଭାବନା ଉପରେ ଏକ ପ୍ରକାର ଫୁଲଷ୍ଟପ ଲଗାଇଛି ।