କନକ ବ୍ୟୁରୋ : ଉତ୍ତରପ୍ରଦେଶର ୧୦ ରାଜ୍ୟସଭା ଆସନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ମୋଟ ୩୯୫ ଭୋଟ ପଡିଥିବା ବେଳେ ସମାଜବାଦୀ ପାର୍ଟି ବିଧାୟକ କ୍ରସ ଭୋଟିଂ କରିଥିବା ଘଟଣା ସାମ୍ନାକୁ ଆସିଛି । ବିଜେପିର ୭ ଆସନରେ ସୁନିଶ୍ଚିତ ବିଜୟ ଥିବା ବେଳେ ୮ ଜଣଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏସପି ବିଧାୟକଙ୍କ କ୍ରସଭୋଟିଂ ଫଳରେ ବିଜେପିର ଅଷ୍ଟମ ପ୍ରାର୍ଥୀଙ୍କର ବିଜୟ ନେଇ ବାଟ ଫିଟିଛି । ଏହାଦ୍ୱାରା ସମାଜବାଦୀ ପାର୍ଟିର ତୃତୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା କ୍ଷୀଣ ହୋଇଛି । ସକାଳେ ତୃତୀୟ ପ୍ରାର୍ଥୀଙ୍କ ବିଜୟକୁ ନେଇ ଦମ୍ଭୋକ୍ତି ପ୍ରକାଶ କରୁଥିବା ସମାଜବାଦୀ ପାର୍ଟି ନେତା ଏବେ ବିଜୟକୁ ନେଇ ସନ୍ଦିହାନ ରହିଛନ୍ତି । କାରଣ ସମାଜବାଦୀ ପାର୍ଟିର ୭ ଜଣ ବିଧାୟକ ବିଜେପିର ଆଠ ନମ୍ବର ପ୍ରାର୍ଥୀଙ୍କୁ ଭୋଟ କରିଛନ୍ତି । ଅନ୍ୟପଟେ ବିଜେପି ନେତା ଦାବି କରିଛନ୍ତି ଯେ, ସମାଜବାଦୀ ପାର୍ଟିର ୧୦ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି ।
ଅନ୍ୟପଟେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଅଖିଳେଶ ଯାଦବ ତୃତୀୟ ପ୍ରାର୍ଥୀ ଛିଡା କରି ଭୁଲ କରିଛନ୍ତି । କାରଣ ତାଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାବଳ ନଥିଲା । ଏବେ ସମାଜବାଦୀ ପାର୍ଟି ସମାପ୍ତବାଦୀ ପାର୍ଟି ହୋଇଗଲାଣି । ବିଜେପିର ସମସ୍ତ ୮ଜଣ ପ୍ରାର୍ଥୀ ବିଜୟୀ ହେବେ ।

Advertisment