ବଲାଙ୍ଗୀରରୁ ଜବତ କୋଟି କୋଟି । ୧୭୬ଟି ବ୍ୟାଗ ମଧ୍ୟରୁ ଏପର୍ଯ୍ୟନ୍ତ ଗଣା ସରିଲାଣି ୧୦୨ଟି ବ୍ୟାଗର ଟଙ୍କା ।

132

କନକ ବ୍ୟୁରୋ: ବଲାଙ୍ଗୀରରେ ଜବତ ହୋଇଛି କୋଟି କୋଟି ଟଙ୍କା । ଟଙ୍କା ଗଣି ଗଣି ବ୍ୟାଙ୍କ କର୍ମଚାରୀ ହାଲିଆ ହୋଇଗଲେଣି, ହେଲେ ଟଙ୍କା ସରିବାର ନାଁ ଧରୁନାହିଁ । ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ଏପର୍ଯ୍ୟନ୍ତ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ସୂଚନା ମିଳିଛି । ହେଲେ କେତେ କୋଟି ଟଙ୍କା ମିଳିଛି, ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି କର୍ତୃପକ୍ଷ । ଆହୁରି ୭୪ଟି ବ୍ୟାଗ ଗଣା ହେବାକୁ ରହିଛି । ଗତକାଲି ରାତି ସୁଦ୍ଧା ଆଉ ୨୦ଟି ବ୍ୟାଗ ଗଣତି ଶେଷ ହେବ ବୋଲି କୁହାଯାଇଥିଲା । ଅର୍ଥାତ୍ ଆହୁରି ୫୦ରୁ ଅଧିକ ବ୍ୟାଗ ଟଙ୍କା ଗଣତି ହେବାକୁ ବାକି ରହିଛି । ଆଜି ସବୁ ଟଙ୍କା ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ଆଉ ଟଙ୍କା ଗଣତି ଶେଷ ହେଲେ ଜଣାପଡିବ, ମୋଟ କେତେ ଟଙ୍କା ଜବତ ହୋଇଛି ।

ଶନିବାର ଛୁଟି ଦିନ ହୋଇଥିଲେ ବି ବଲାଙ୍ଗୀର ଏସବିଆଇ ମୁଖ୍ୟ ଶାଖାରେ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ ୫୦ରୁ ଅଧିକ କର୍ମଚାରୀ । ତଦାରଖ କରିବା ପାଇଁ ମଧ୍ୟ କର୍ମଚାରୀ ନିୟୋଜିତ ହୋଇଥିଲେ । ୨୫ଟି ମେସିନରେ ଟଙ୍କା ଗଣା ଯାଇଛି । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୫ଟି ମେସିନକୁ ଷ୍ଟାଣ୍ଡବାୟରେ ରଖାଯାଇଛି । ଏପରିକି ମେସିନ୍ ସଜାଡିବା ପାଇଁ ଟେକ୍ନିସିଆନ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଯେଉଁ ଟଙ୍କା ବିଡ଼ା ଓଦାଳିଆ ରହିଛି, ତାକୁ ଶୁଖାଇବା ପାଇଁ ଡ୍ରାୟର ବ୍ୟବହାର କରାଯାଉଛି ।