ରାଉରକେଲା ଷ୍ଟେସନରୁ ମିଳିଲା କୋଟି କୋଟି ଟଙ୍କା ! ୨ଟି ଟ୍ରଲି ବ୍ୟାଗରୁ ୨କୋଟି ୨୩ଲକ୍ଷ ଟଙ୍କା ଜବତ, କୁଆଡେ ଯାଉଥିଲା ଏତେ ପରିମାଣର ଟଙ୍କା ?

246

କନକ ବ୍ୟୁରୋ : ରାଉରକେଲା ଷ୍ଟେସନରୁ ଜବତ ହେଲା ୨କୋଟିରୁ ଅଧିକ ଟଙ୍କା । ୨ଟି ଟ୍ରଲି ବ୍ୟାଗରୁ ଏତେ ପରିମାଣର ଟଙ୍କା ଜବତ କରାଯାଇଛି । ଜବତ ଟଙ୍କା ମୋଟ ୨ କୋଟି ୨୩ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଆରପିଏଫ ଗିରଫ କରିି ଜିଆରପିକୁ ହସ୍ତାନ୍ତର କରିଛି । ଟଙ୍କା କେଉଁଠୁ ଆସିଲା ଓ କୁଆଡେ ଯାଉଥିଲା ସେ ନେଇ ଛାନଭିନ କରାଯାଉଛି । ଆସନ୍ତାକାଲି ଆରପିଏଫ ଏବଂ ଜିଆରପି ଏନେଇ ମିଳିତ ପ୍ରେସମିଟ୍ କରିବେ । ତେବେ ମିଳିଥିବା ସୂଚନା ଅନୁସାରେ, ଗତ ୧୯ ଜାନୁଆରୀରେ ଅହମଦାବାଦ ଜିଆରପିରେ ୩ ଲକ୍ଷ ଟଙ୍କାର ସୁନା ଗହଣା ଓ ଟଙ୍କା ଚୋରି ନେଇ ଅଭିଯୋଗ ହୋଇଥିଲା ।

ସେହିପରି ଗତ ମାର୍ଚ୍ଚ ୩ତାରିଖରେ ବଡ ଧରଣର ନଗଦ ଟଙ୍କା ଚୋରି ନେଇ ହାୱଡା ଜିଆରପିରେ ଅଭିଯୋଗ ହୋଇଥିଲା । କୁହାଯାଉଛି, ନଗଦ ଟଙ୍କାର ପରିମାଣ ୨କୋଟିରୁ ଅଧିକ ହେବ । ଏନେଇ ଷ୍ଟେସନରେ ସିସିଟିଭି ଫୁଟେଜ୍ ଯାଂଚ୍ କରାଯାଇ ଜିଆରପିକୁ ତଥ୍ୟ ଦିଆଯାଇଥିଲା । ସେବେଠୁ ରାଉରକେଲା ଆରପିଏଫର ଏକ ଟିମ୍ ଘଟଣାର ତଦନ୍ତ କରୁଥିଲେ । ଅନ୍ୟପଟେ ଧରାପଡିଥିବା ଲୁଟେରା ଟଙ୍କା ଚୋରି କରିଥିବା ନେଇ ସ୍ୱୀକାର କରିଥିବା ଆରପିଏଫ ଅଧିକାରୀ କହିଛନ୍ତି । କିନ୍ତୁ ଜିଆରପି ଏନେଇ କିଛି ବି ସ୍ପଷ୍ଟ କରୁନାହିଁ । ସେପଟେ ନିର୍ବାଚନ ପୂର୍ବରୁ ଏତେ ପରିମାଣର ଟଙ୍କା ଜବତ ହେବା ଅନେକ ପ୍ରଶ୍ନ ଠିଆ କରିଛି ।