କନକ ବ୍ୟୁରୋ: ନାଁ ଜୟନ୍ତୀ ବେହେରା । ଭଦ୍ରକର ପୂର୍ବତନ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ । ଆଉ ଏବେ ଜିଲ୍ଲା ମହିଳା ଓ ଶିଶୁ ବିକାଶ ଦାୟିତ୍ୱରେ । ଜିଲ୍ଲାର ବିକାଶ କମ୍, ନିଜ ବିକାଶକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ ଏହି ସରକାରୀ ମହିଳା ଅଫିସର । ଏନେଇ ବାରମ୍ବାର ପିଟିସନ୍ ପଡ଼ିବା ପରେ ଏବେ ଭିଜିଲାନ୍ସ ସ୍କାନରରେ ପଡ଼ିଛନ୍ତି ଏହି ମ୍ୟାଡମ । ସମ୍ପତି ଖୋଜି ଖୋଜି ଭିଜିଲାନ୍ସ ହାଲିଆ । ଭଦ୍ରକ, ବାଲେଶ୍ୱରରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଛି ତାଙ୍କ ସମ୍ପତି । ଆୟବହିର୍ଭୁତ ରେଡ୍ ପାଇଁ ଜଣେ ଅତିରିକ୍ତ ଏସପି, ୪ଜଣ ଡିଏସପି, ୮ଜଣ ଇନସପେକ୍ଟର ଏକକାଳୀନ ୧୧ଟି ସ୍ଥାନରେ ରେଡ କରୁଛି । ଚଢ଼ାଉ ବେଳେ ତାଙ୍କ ଠାରୁ କୋଟି କୋଟି ଟଙ୍କାର ବ୍ୟାଙ୍କ ଜମା ସହ ରୂପା ଅଳଙ୍କାର ଜବତ କରାଯାଇଛି । ଭଦ୍ରକ ଫିରିଙ୍ଗପାଟଣାରେ ୩ ମହଲା ବିଶିଷ୍ଟ ବାସଭବନ, ବାଲେଶ୍ୱର ସିଦେ୍ଧଶ୍ୱର କଲୋନୀରେ ୩ ମହଲା ଓ ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୌତମ ନଗର ଅଞ୍ଚଳରେ ଫ୍ଲାଟ୍, ଓଲ୍ଡ ଟାଉନ ଅଂଚଳରେ ରହିଛି ଫ୍ଲାଟ ।

Advertisment

ବଡ଼ କଥା ହେଉଛି ଜୟନ୍ତୀ ପାଖରେ ଏତେ ଟଙ୍କା କେଉଁଠୁ ଆସିଲା । ଆଉ କେମିତି ମ୍ୟାଡମ ଜଣକ କମ୍ ଦିନରେ କୋଟିପତି ହୋଇଗଲେ? ସେ ନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ । ଏବେ ଆସନ୍ତୁ ନଜର ପକାଇବା ଚଢ଼ାଉ ବେଳେ ଭିଜିଲାନ୍ସ ହାତରେ କ’ଣ ଲାଗିଛି ।

- ବାଲେଶ୍ୱରର ଫିରିଙ୍ଗପାଟଣାରେ ୧୪୦୦ ବର୍ଗଫୁଟ୍ ବିଶିଷ୍ଟ ବହୁ ତଳ କୋଠା
- ବାଲେଶ୍ୱରର ଗଣେଶ୍ୱରପୁରରେ ୧୭୦୦ ବର୍ଗଫୁଟ୍ ବିଶିଷ୍ଟ ବହୁ ତଳ କୋଠା
- ବାଲେଶ୍ୱରର ଗଣେଶ୍ୱରପୁରରେ ୧ହଜାର ବର୍ଗଫୁଟ୍ ବିଶିଷ୍ଟ ଦୁଇ ମହଲା ନିର୍ମାଣଧୀନ ବିଲ୍ଡିଂ
- ଭୁବନେଶ୍ୱର ଗୌତମନଗରର ରୟାଲ ରେସିଡେନ୍ସିରେ ରହିଛି ୩-ବିଏଚକେ ଫ୍ଲାଟ୍
- ଭୁବନେଶ୍ୱର ଓଲ୍ଡ ଟାଉନରେ ୩-ବିଏଚକେ ଫ୍ଲାଟ୍
- ବାଲେଶ୍ୱରର ପ୍ରମୁଖ ଅଂଚଳରେ ରହିଛି ୪ଟି ପ୍ଲଟ୍
- ଘରୁ ମିଳିଛି ନଗଦ ୨ଲକ୍ଷ ୭୯ହଜାର ଟଙ୍କା
- ପୋଷ୍ଟାଲ ଓ ଇନ୍ସ୍ୟୁରାନ୍ସ ବାବଦରେ ୫୩ ଲକ୍ଷ ଟଙ୍କା ଜମା
- ୧ ଚାରିଚକିଆ ଓ ଗୋଟିଏ ଦୁଇ ଚକିଆ ଯାନ

ଏତେ ସବୁ ସମ୍ପତି ମିଳିସାରିବା ପରେ ବି ଭିଜିଲାନ୍ସ ଚଢ଼ାଉ ଜାରିରଖିଛି ।