କୋଟିପତି ଝାଡୁଦାର । ୧୦ ବର୍ଷ ହେଲାଣି ଉଠାଉନାହାଁନ୍ତି ଦରମା, ଅଜବ ଢଙ୍ଗରେ ଚଳାଉଛନ୍ତି ପରିବାର ।

2,951

କନକ ବ୍ୟୁରୋ: ବୃତ୍ତି ହେଉଛି ଝାଡୁ ମାରିବା ହେଲେ ପ୍ରକୃତରେ ସେ କୋଟିଏ ଟଙ୍କାର ମାଲିକ । ବିଶ୍ୱାସ ହେଉନଥିଲେ ବି କଥାଟା କିନ୍ତୁ ଏକଦମ ସତ । ଆହ୍ଲାବାଦ ସଙ୍ଗମନଗରୀ ପ୍ରୟାଗରାଜ ସିଏମଓ ଅଫିସରେ କାମ କରୁଛନ୍ତି ଜଣେ କୋଟିପତି ସ୍ୱିପର । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରହିଛି ୭୦ ଲକ୍ଷ ଟଙ୍କା ।

କେବଳ ଟଙ୍କା ନୁହେଁ ଏହି ସ୍ୱିପର ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ତାଙ୍କ ଜମିବାଡି ସହ ରହିବା ପାଇଁ ଭଲ ଘର ବି ରହିଛି । ସବୁଠୁ ମଜଦାର କଥା ହେଉଛି ଗତ ୧୦ ବର୍ଷ ହେବ ସେ ତାଙ୍କର ଦରମା ଟଙ୍କା ଉଠାଇନାହାଁନ୍ତି । ତାହା ସେପରି ଆକାଉଣ୍ଟରେ ଜମା ହୋଇ ରହିଛି । ହେଲେ ଦରମା ଟଙ୍କା ଉଠାଇବାକୁ ତାଙ୍କୁ ବାରମ୍ବାର କହୁଛନ୍ତି ବ୍ୟାଙ୍କ ଅଧିକାରୀ । କିନ୍ତୁ ସେମାନଙ୍କ କଥା ଶୁଣିବାକୁ ନାରାଜ ସ୍ୱିପର କାମ କରୁଥିବା ଧୀରଜ କୁମାର ।ବରଂ ଲୋକଙ୍କ ଠାରୁ ମାଗିଯାଚି ନିଜ ପରିବାରର ଗୁଜରାଣ ମେଣ୍ଟାଉଛନ୍ତି ଧୀରଜ କୁମାର ।

ଧୀରଜ କୁମାରଙ୍କ ବେଶଭୂଷା ଦେଖି ଲୋକେ ତାଙ୍କୁ ଭିକାରୀ ବୋଲି ଭାବନ୍ତି ଆଉ ସେ ମାଗିବା ମାତ୍ରେ ତାଙ୍କୁ କିଛି ପଇସା ଦେଇଦିଅନ୍ତି । ହେଲେ ସେ ଜଣେ କୋଟିପତି ବୋଲି ସେତେବେଳେ ଜଣାପଡିଲା, ଯେତେବେଳେ ଦୀର୍ଘ ବର୍ଷ ହେବ ଦରମା ଟଙ୍କା ନଉଠାଇବାରୁ ତାଙ୍କୁ ଖୋଜି ଖୋଜି ଆସି ବ୍ୟାଙ୍କ ଅଧିକାରୀ ତାଙ୍କ ଅଫିସରେ ପହଞ୍ଚିଲେ ।
କଥା ହେଉଛି ଧୀରଜଙ୍କ ବାପା ଏହି ସିଏମଓ ଅଫିସରେ ଜଣେ ୱିପର ଭାବେ କାର୍ଯ୍ୟ କରୁଥିଲେ ହେଲେ ତାଙ୍କର ମୃତ୍ୟୁ ହୋଇଯିବାରୁ ରିହାବିଲିଟେସନ୍ ସ୍କିମରେ ଧୀରଜଙ୍କୁ ୨୦୧୨ରେ ଏଠାରେ ଚାକିରୀ ଖଣ୍ଡେ ମିଳିଲା । ସେ ଚାକିରି କଲେ ସିନା ହେଲେ ମିଳୁଥିବା ଦରମା ଟଙ୍କାକୁ କେବେ ହେଲେ ବି ଉଠାଇ ଖର୍ଚ୍ଚ କଲେ ନାହିଁ । ଏହାସହ ତାଙ୍କ ମା’ଙ୍କୁ ମଧ୍ୟ ପେନସନ୍ ମିଳୁଛି । ୟାଠାରୁ ଆହୁରି ରୋଚକ କଥା ହେଉଛି ଧୀରଜ ସରକାରଙ୍କୁ ଇନକମ୍ ଟ୍ୟାକ୍ସ ମଧ୍ୟ ଦେଉଛନ୍ତି ।

କୋଟିପତି ଧୀରଜ ତାଙ୍କ ମା’ ଓ ଭଉଣୀଙ୍କ ସହ ରହୁଛନ୍ତି । ସେ ବିବାହ କରିନାହାଁନ୍ତି କି ବିବାହ କରିବାକୁ ମଧ୍ୟ ଚାହୁଁନାହାଁନ୍ତି । ଏ ବିଷୟରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ ବିବାହ କଲେ ଅଯଥା ଖର୍ଚ୍ଚ ବଢିବ ବୋଲି ସେ ବିବାହ କରୁନାହାଁନ୍ତି । ଧୀରଜ ମାନସିକ ସ୍ତରରେ ସାମାନ୍ୟ ଦୁର୍ବଳ ହେଲେ କାମକୁ ନେଇ ଭାରୀ ପରିଶ୍ରମୀ ଓ କର୍ତ୍ତବ୍ୟପରାୟଣ ବୋଲି ତାଙ୍କ ଅଫିସର କର୍ମଚାରୀ ମାନେ କୁହନ୍ତି ।