ଆଇଟିଡିଏ ଅଧିକାରୀଙ୍କ ବିଭିନ୍ନ ଠିକଣାରୁ ଠାବ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି । ମିଳିଲା ୧୩ ଲକ୍ଷ ୬୦ ହଜାର ନଗଦ ଟଙ୍କା ।

222

କନକ ବ୍ୟୁରୋ : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଚାଲିଥିବା ସିରିଜ ରେଡ ତାଲିକାରେ ଯୋଡି ହୋଇଛନ୍ତି ଆଇଟିଡିଏ ଅଧିକାରୀ ସନ୍ତୋଷ ଦାସ । ସହକାରୀ ଯନ୍ତ୍ରୀ ଭାବେ କାମ କରୁଥିବା ଏହି ବାବୁଙ୍କ ନିକଟରୁ ୧୩ ଲକ୍ଷ ୬୦ ହଜାର ଟଙ୍କା ନଗଦ ମିଳିଛି । ସେହିଭଳି ଭୁବନେଶ୍ୱର ଓ ବାଲେଶ୍ୱରରେ ୪ ମହଲା ବିଶିଷ୍ଟ ଘର ବି ଠାବ ହୋଉଛି । ୮ ବର୍ଷ ଧରି ବାରିପଦା ଆଇଟିଡିଏ କାର୍ଯ୍ୟାଳୟରେ ଚାକିରି କରୁଥିବା ଏହି ବାବୁଙ୍କ ଉପରେ ଭିଜିଲାନ୍ସର ନଜର ଦୀର୍ଘ ଦିନ ଧରି ରହିଥିଲା ।

କୋଟିପତି ସହକାରୀ ଯନ୍ତ୍ରୀ । ଭିଜିଲାନ୍ସ ଚଢ଼ାଉ ବେଳେ ବାହାରିଲା ପୁଳା ପୁଳା ଟଙ୍କା । ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିବା ବେଳେ ପୁଳା ପୁଳା ଟଙ୍କା ଜବତ ହୋଇଛି । ଏହି ସହକାରୀ ଯନ୍ତ୍ରୀ ଜଣକ ଆୟବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରରେ ୩ଟି ସ୍ଥାନ, ବାଲେଶ୍ୱରରେ ୫ଟି ସ୍ଥାନ ଓ ମୟୂରଭଞ୍ଜର ୩ଟି ସ୍ଥାନରେ ଏହି ଚଢାଉ କରିଛି ଭିଜିଲାନ୍ସ । ବାଲିଆପାଳ ଓ ଭୋଗରାଇ ଘର ସହ ବାରିପଦା ଭଂଜପୁର ବାସଭବନରେ ମଧ୍ୟ ଚଢାଉ ହୋଇଛି ।

ଏହି ଚଢ଼ାଉ ବେଳେ କେବଳ ୧୩ ଲକ୍ଷ ୬୦ ହଜାର ନଗଦ ଅର୍ଥ ଜବତ ହୋଇ ନାହିଁ, ଏହା ସହ ଠାବ ହୋଇଛି ବହୁ କୋଟିର ସମ୍ପତ୍ତି । ଟିକେ ନଜର ପକାନ୍ତୁ ଏହି ଅଧିକାରୀଙ୍କ ସମ୍ପତି ଉପରେ

*ଭୁବନେଶ୍ୱର ବଡ଼ଗଡ଼ରେ ୫୬ ଲକ୍ଷ ୬୨ ହଜାର ମୂଲ୍ୟର ୪ ମହଲା କୋଠା

*ଭୁବନେଶ୍ୱରର ଶୈଳଶ୍ରୀବିହାରରେ ଏକ ଫ୍ଲାଟ

*କଳିଙ୍ଗବିହାରରେ ନିର୍ମାଣାଧୀନ କୋଠା

*ବାଲେଶ୍ୱରରେ ଏକ ୪ ମହଲା କୋଠା

*ବାଲେଶ୍ୱରରେ ୩ଟି ପ୍ଲଟ

*ଗୋଟିଏ ଚାରିଚକିଆ ଗାଡ଼ି ଓ ୩ଟି ବାଇକ୍

ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ୮ବର୍ଷ ଧରି ବାରିପଦା ଆଇଟିଡିଏ କାର୍ଯ୍ୟାଳୟରେ ଚାକିରୀ କରୁଥିବା ବେଳେ ତାଙ୍କ ନାଁରେ ଦୁର୍ନୀତିରେ ସାମିଲ ଥିବା ନେଇ ଏକାଧିକ ଅଭିଯୋଗ ରହିଛି ।